ଆରମ୍ଭରୁ ଢିଲା:ବଜାରରେ ମିଳୁନି ଡିପିଏ, ୟୁରିଆ ସାର


ସମ୍ବଲପୁର: ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଆରମ୍ଭରୁ ଦେଖାଦେଇଛି ଚାଷୀ ସମସ୍ୟା। ସାର ପାଇଁ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଆରମ୍ଭରୁ ହିଁ ସାର ପାଇଁ ହନ୍ତସନ୍ତ ହେଲେଣି।
ନିକଟରେ ରବିଧାନ ବିକ୍ରି ନେଇ ସମ୍ବଲପୁର, ବରଗଡ଼, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାର ଚାଷୀମାନଙ୍କୁ ଖୁବ୍‌ ହଇରାଣ ହେବାକୁ ପଡିଥିଲା। ଅନ୍ୟପଟେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ହିଁ ଚାଷୀ ମାନଙ୍କୁ ସାର ପାଇଁ ବାର ଦାଣ୍ଡ ଶୁଣ୍ଢୀ ପିଣ୍ଡା ହେବାକୁ ପଡ଼ିଲାଣି। ବର୍ତ୍ତମାନ ଚାଷୀଙ୍କୁ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ତାହା ସେମାନଙ୍କୁ ଠିକ୍‌ଭାବେ ମିଳି ପାରୁ ନାହିଁ। ଫଳରେ ଚାଷୀମାନେ ସେହି ସାର କିଣିବାରେ କଳାବଜାରର ସମ୍ମୁଖୀନ ହେଉଥିବା ଘୋର ଅଭିଯୋଗ ଉଠିଲାଣି।
ଏହି ଖରିଫ ଚାଷକାର୍ଯ୍ୟ ଆରମ୍ଭରୁ ସାରର ଅଭାବ ଏବଂ କଳାବଜାର ଚାଷୀମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି।ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏବେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋର୍‌ ଧରିଥିବା ବେଳେ ଦେବଗଡ଼ ଓ ଝାରସୁଗୁଡା ଜିଲ୍ଲାରେ କେତେକ ସ୍ଥାନରେ ମଧ୍ୟ୍ୟ ଆରମ୍ଭ ହୋଇଛି। ଅନେକ ସ୍ଥାନରେ ଚାଷୀମାନେ ଧାନ ବୁଣାବୁଣି ଆରମ୍ଭ କରିଦେଇ ଥିବାବେଳେ କେତେକ ସ୍ଥାନରେ ଧାନପହ୍ଲା ରୁଆ ମଧ୍ୟ ସରିଯାଇଛି।ସେପଟେ ଲଗାଣ ବର୍ଷା ଏହି ଚାଷକୁ ଦୋହଲାଇ ଦେଇଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ଡିଏପି ଏବଂ ୟୁରିଆ ସାର ନ ମିଳିବା ଦୁଃଖର କାରଣ ସାଜିଛି। ବର୍ତ୍ତମାନ ଡିପିଏ ଓ ୟୁରିଆ ସାର ଯଥେଷ୍ଟ ଆବଶ୍ୟକ ଥିବାବେଳେ ତାହା ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନଥିବାରୁ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଲାଣି।
ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରି ପାଇଁ ଜିଲ୍ଲା ମାନଙ୍କରେ ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଚଳିତ ଖରିଫ୍‌ରେ ବରଗଡ଼ ଜିଲାରେ ୩ଲକ୍ଷ ୪୨ହଜାର ୨୩୦ହେକ୍ଟର ଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି କ୍ରମରେ ୟୁରିଆ ୩୩ହଜାର ୮୦୦, ଡିଏପି ୧୭ହଜାର, ଏମ୍‌ଓପି ୪ହଜାର, ଏଏସ୍‌ପି ୫୦୦, କମ୍ପ୍ଲେକ୍ସ(୨୦-୨୦-୦-୧୩) ୧୧ହଜାର, କମ୍ପ୍ଲେକ୍ସ(୨୮-୨୮-୦), ୮୯୫୦, କମ୍ପ୍ଲେକ୍ସ(୧୦-୨୬-୨୬) ୫, କମ୍ପ୍ଲେକ୍ସେସ୍‌(୧୬-୧୬-୧୬) ୧୩୨୫, କମ୍ପ୍ଲେକ୍ସେସ(୧୪-୩୫-୧୪) ୨୦ମେଟ୍ରିକ ଟନ୍‌ ଫସଲରେ ପ୍ରୟୋଗ ଲକ୍ଷ୍ୟ ରହିଛି। ମାତ୍ର ଆବଶ୍ୟକତାଠାରୁ ଯଥେଷ୍ଟ ୟୁରିଆ ଏବଂ ଡିଏପି ସାର ବରଗଡ଼ ଜିଲାକୁ ଯାଇଥିବା ସତ୍ତ୍ୱେ କେତେକ ମୁନାଫାଖୋର ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦର ଅର୍ଥାତ୍‌ ୩୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ବରଗଡ଼ ପରି ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ୍ୟ ଏଭଳି ଅଭିଯୋଗ ଆସିଲଣି।
କେବଳ ସେତିକି ନୁହେଁ, ଜଣେ ଚାଷୀ ୨ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ନାନୋ ୟୁରିଆ ବୋତଲ ନେବାକୁ ବାଧ୍ୟ କରାଯାଉଛି। ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ଚଢ଼ାଦରରେ ଅର୍ଥାତ୍‌ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଏଭଳି ସ୍ଥଳେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ ଗଲେ ସେଠାରେ ସାର ନଥିବା ନେଇ ବିଭାଗୀୟ କର୍ମଚାରୀମାନେ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷକାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟରେ ଡିଏପି ଏବଂ ୟୁରିଆ ସାର ପ୍ରୟୋଗର ଯଥେଷ୍ଟ ଆବଶ୍ୟକ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଏହି ସାର ପାକ୍ସ ଗୁଡ଼ିକରେ ପର୍ଯ୍ୟାପ୍ତଭାବେ ଉପଲବ୍ଧ ହେଉ ନାହିଁ। ଅପରପକ୍ଷେ କେତେକ ରିଟେଲର ଏହାର କଳାବଜାର କରୁଥିବାବେଳେ ସେଥିପ୍ରତି କୃଷି ବିଭାଗ ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ଆରମ୍ଭରୁ ହିଁ ଅଭିଯୋଗ କଲେଣି।କଳାବଜାର ରୋକିବାକୁ ସରକାର ପୂର୍ବରୁ ଘୋଷଣା କରି ଏଥିରେ ଲିପ୍ତ ରିଟେଲରମାନଙ୍କୁ କଳା ତାଳିକାଭୁକ୍ତ କରିବା ଓ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବର୍ତ୍ତମାନ ଠାରୁ ସଜାଗ ନହେଲେ ଏହା ଆଗକୁ ବଡ଼ ସମସ୍ୟା ହୋଇ ଠିଆ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚାଷୀମାନେ ଯେଭଳି ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଆବଶ୍ୟକ ମତେ ସାର ପାଇପାରିବେ, ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଚାଷୀମହଲରେ ଦାବି ହୋଉଛି । ତେବେ ସାର କଳାବଜାର ନେଇ କୌଣସି ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ ନଥିବା କେତେକ କୃଷି ଅଧିକାରୀ କହିଛନ୍ତି।ତେବେ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ ମାନଙ୍କ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ଏହାର ସାଧୁତା ନେଇ ଚାଷୀଙ୍କ ମନରେ ସନ୍ଦେହ ରହୁଥିବା କହୁଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଅଣଦେଖା କରି କେତେକ ଅଧିକାରୀ ନିଜର ଫାଇଦାକୁ ଆଖିଆଗରେ ରଖି ଚାଷୀମାରାଣ ନୀତି ଆପଣେଇ ମିଳି ଭଗତେରେ ସାମିଲ ହେବାର ଅନେକ ଦୃଷ୍ଟାନ୍ତ ଥିଲେବି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆରମ୍ଭରୁ ଲୋକଙ୍କ ସରକାରର ଆଭିମୁଖ୍ୟ ଉପରେ ଚାଷୀଙ୍କ ଭବିଷ୍ୟତ ନିର୍ଭର କରୁଛି।