ସମ୍ବଲପୁର: କୀଟନାଶକ ପାରାକୁଆଟ୍କୁ ନେଇ ମୁମ୍ବାଇ ସ୍ଥିତ ଏଡେନବର୍ଗ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କରିବ। ଏଥିରେ ପ୍ରମୁଖ ଗବେଷକ ଭାବରେ ଭିମ୍ସାରର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଆଜି ଡା. ରାମଚନ୍ଦାନୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ଜାତୀୟ ମାନବାଧିକାର କମିଶନ ଜଣେ କଏଦୀ ମୃତ୍ୟୁ ଘଟଣାର ତଦନ୍ତ ଅବସରରେ ପାରାକୁଏଟ୍ ସମ୍ପର୍କରେ ଭିମ୍ସାର୍ କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ତଥ୍ୟ ମାଗିଥିଲା । ଏବେ ଏଡେନବର୍ଗ ବିଶ୍ବବିଦ୍ୟାଳୟ ପାରାକୁଏଟ୍ ଉପରେ ଗବେଷଣା କରି ତଥ୍ୟ ଉପସ୍ଥାପନ କରିବ।ଯାହା ଆନ୍ତର୍ଜାତୀୟ ସ୍ତରରେ ଏହାକୁ ବ୍ୟାନ କରିବା ଦିଗରେ ଖୋରାକ୍ ଯୋଗଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ପାରାକୁଏଟ୍ ଉପରେ ଭିମ୍ସାର୍ ମେଡିସିନ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ରାମଚନ୍ଦାନୀଙ୍କ ନେତୃତ୍ୱରେ ଏକ ଗବେଷଣା କରିଥିଲେ । ଏଥିରୁ ଅନେକ ଗୁରୁତ୍ବପୂର୍ଣ ତଥ୍ୟ ଡାକ୍ତରଙ୍କୁ ମିଳିଛି । ପାରାକୁ ଏଟ୍କୁ ଚାଷୀମାନେ କ୍ଷେତରେ ସିଞ୍ଚନ କରିଥାନ୍ତି । ପଶ୍ଚିମ ଓଡିଶାରେ ଏହା ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ଆତ୍ମହତ୍ୟା ଉଦ୍ଦେଶ୍ୟରେ ଏହାକୁ ସେବନ କଲେ ବ୍ୟକ୍ତିର ବଂଚିବା ଆଶା କମ୍ ରହିଥାଏ । ପାରାକୁଏଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ଜଣ ରୋଗୀଙ୍କ ଠାରେ ଫାଙ୍କୋନୀ ସିଣ୍ଡ୍ରୋମ୍ ବିଶ୍ଵରେ ପ୍ରଥମ ଓ ବିରଳ ବୋଲି ଡାକ୍ତର ଡା. ରାମଚନ୍ଦାନୀ ସୂଚନା ଦେଇଛନ୍ତି । ଭିମ୍ସାର୍ ଡାକ୍ତରଙ୍କ ତଥ୍ୟ ଆଧାରରେ ୨୦୧୮ ମସିହାରୁ ୨୦୨୪ ଶେଷ ପର୍ଯ୍ୟନ୍ତ ଭିମ୍ସାର୍ରେ ୩୮୦ରୁ ୪୦୦ ପାରାକୁଏଟ୍ ବିଷ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୧ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ବାକି ୨୯ ପ୍ରତିଶତ ରୋଗୀଙ୍କ ତଥ୍ୟ ମେଡିକାଲରେ ଉପଲବ୍ଧ ନାହିଁ ।
ରାଜ୍ୟ ସରକାର ଭିମସାର ଡାକ୍ତରଙ୍କ ଦାବି ଗ୍ରହଣ କରି ପ୍ରଥମେ ଦୁଇମାସ ଏବଂ ପରେ ପୁଣି ଗୋଟିଏ ମାସ ପାରାକୁଏଟ୍କୁ ରାଜ୍ୟରେ ବ୍ୟାନ୍ କରିଥିଲେ। ମାତ୍ର ଅଧିକ କାଳ ବ୍ୟାନ୍ କରିବା କ୍ଷମତା ରାଜ୍ୟ ହାତରେ ନଥିବାରୁ କେନ୍ଦ୍ରକୁ ଚିଠି ଲେଖି ଏହାକୁ ସମ୍ପୂର୍ଣ ବ୍ୟାନ୍ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି ।
ବର୍ତ୍ତମାନ ଏହି ପାରାକୁଆଟ ଉପରେ ଗବେଷଣା ପରେ ଏହାର ବ୍ୟବହାର ଉପରେ କେନ୍ଦ୍ର ସରକାର ଯାହା କିଛି ନିଷ୍ପତ୍ତି ନେବେ ବୋଲି ଧରାଯିବ। ତେବେ ଏହି ଔଷଧ ପାଇଁ ଅନେକ ଜୀବନ ଯାଇଥିବା ଓ ଏହାର ଗୁଣବତ୍ତା ଉପରେ ବହୁ ତର୍ଜମା ସତ୍ତ୍ୱେ ଏହାର ପ୍ରଚଳନ ବଳବତ୍ତର ରହିଛି।
ପାରାକୁଆଟ୍ ଉପରେ ଗବେଷଣା କରିବ ଏଡେନବର୍ଗ ବିଶ୍ୱବିଦ୍ୟାଳୟ ଡା. ରାମଚନ୍ଦାନୀଙ୍କୁ ପ୍ରମୁଖ ଗବେଷକ କରିବାକୁ ଆଗ୍ରହ
