ସମ୍ବଲପୁରୀ ଦିନ ପାଳନ ପାଇଁ ନୂତନ କମିଟି


ସମ୍ବଲପୁର, ୧୫.୦୭ :ସମ୍ବଲପୁରୀ ଦିନ ଲାଗି ବିଭିନ୍ନ କମିଟି ଆଜି ସମ୍ବଲପୁରୀ ଏକତା ମଞ୍ଚ, ବୁର୍ଲା ଆନୁକୂଲ୍ୟରେ ଅଗଷ୍ଟ ୧ ରେ ପାଳିତ ହେବାକୁ ଯାଉଥିବା ସମ୍ବଲପୁରୀ ଦିନ ପାଇଁ ବିଭିନ୍ନ କମିଟି ମାନ ଘୋଷଣା କରାଯାଇଥିଲା I ପ୍ୟାରୀମୋହନ ପୁଜାହାରୀଙ୍କ ସଭାପତିତ୍ୱରେ ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ ନୂତନ ଭାବେ ଉପଦେଷ୍ଠା କମିଟି, ସାଂସ୍କୃତିକ କମିଟି, ଅଭ୍ୟର୍ଥନା କମିଟି, ଖାଦ୍ୟ, ଦୋକାନ, ପରିବହନ, ଶୃଙ୍ଖଳା ଓ ମଞ୍ଚ କମିଟିର ସଦସ୍ୟ ମାନଙ୍କ ନାମ ଘୋଷଣା କରିଥିଲେ I ବୁର୍ଲାର ଅନେକ ସ୍ବେଛାସେବୀ ସଂଗଠନ, ଯୁବ ସଂଗଠନ ସ୍ବେଛାକୃତ ଭାବେ ବିଭିନ୍ନ ସମ୍ବଲପୁରୀ ଖାଦ୍ୟର ଆୟୋଜନ କରି ମାଗଣା ସେବା ଯୋଗାଇଦେବା ଲାଗି ସ୍ବେଛାକୃତ ଭାବେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ଲାଗି ପ୍ରତିଶୃତି ଦେଇଥିଲେ I ଶିରିଡି ସାଇ ମନ୍ଦିର, ଶ୍ରୀ ସତ୍ୟସାଇ ମନ୍ଦିର,ରୋଟାରୀ କ୍ଳବ, ଲାୟନସ ପ୍ରଗତି ବୁର୍ଲା, ଲୟନ୍ସ କ୍ଲବ ବୁର୍ଲା, କଳିଙ୍ଗ ବୈଶ୍ୟ ସମାଜ, ବ୍ରାହ୍ମଣ ସମାଜ, ଖଣ୍ଡାୟତ କ୍ଷତ୍ରୀୟ ସମାଜ , ଶ୍ରୀ ଗଣେଶ ପୂଜା କମିଟି ଭକ୍ତିମଣ୍ଡପ, ଶ୍ରୀ ଗଣେଶ ପୂଜା କମିଟି ବୋର୍ଡ କଲୋନୀ, ଗୁରୁଦ୍ୱାର କମିଟି ଓ ରାମଚଣ୍ଡୀ ସେବା ସଦନ କୁ ଷ୍ଟଲ ପାଇଁ ନିମନ୍ତ୍ରଣ କରାଯାଇଥିଲା I ବିଭିନ୍ନ କ୍ଳବ ଓ ବୁର୍ଲାର ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ କିପରି ଅଧିକ ସଂଖ୍ୟାରେ ଭାଗ ନେଇ ପାରିବେ ସେଥିପାଇଁ ସାଂସ୍କୃତିକ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା I ପଶ୍ଚିମ ଓଡିଶାର ବିଭିନ୍ନ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସମତେ ସମସ୍ତ ରାଜନୈତିକ ନେତୃବୃନ୍ଦଙ୍କୁ ଏଥିରେ ସାମିଲ କରିବା ଲାଗି ଉପଦେଷ୍ଟା କମିଟି ତଥା ଅଭ୍ୟର୍ଥନା କମିଟିଙ୍କୁ ଦାଇତ୍ୱ ଦିଆଯାଇଥିଲା I ସ୍ଥାନୀୟ ସରକାରୀ ଉଚ୍ଚ ବାଳକ ପି ଏମ ଶ୍ରୀ ବିଦ୍ୟାଳୟର ଖୋଲା ପଡିଆ ଭିତରେ ଏହା ଅନୁଷ୍ଠିତ କରିବା ଲାଗି ସର୍ବ ସମ୍ମତି କ୍ରମେ ମତାମତ ପ୍ରକାଶ ପାଇଥିଲା I ଶିକ୍ଷା ନଗରୀ ବୁର୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବାରୁ ସମସ୍ତ ଉପସ୍ଥିତ ଜନ ସାଧାରଣଙ୍କ ମନରେ ଅନେକ ଉତ୍ସାହ ତଥା ଆନନ୍ଦ ଭରି ରହିଥିଲା ଏବଂ ସମସ୍ତେ ଏକଜୁଟ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପ୍ରତିଶୃତି ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଅନେକ ସାଂସ୍କୃତିକ କଳାକାର ସେମାନଙ୍କର ସମ୍ବଲପୁରୀ ଗୀତ ନୃତ୍ୟ ସହ ଯୋଗଦେବାରେ କାର୍ଯ୍ୟକ୍ରମ ସ୍ଥିର କରାଗଲା I ଶେଷରେ କୋଷାଧକ୍ଷ ଶ୍ରୀ ସତ୍ୟବ୍ରତ ନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।