Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ ୨୦୨୪ ପାଇଁ ସତର୍କ ଘଣ୍ଟି

ସମ୍ବଲପୁର : ୨୦୨୪ ରେ ହେବ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ଚଳିତ ସରକାରଙ୍କ ପ୍ରାୟତଃ ଶେଷ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠିତ ହେବ। ଯାହାକି ଆଗାମୀ ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତି ବା ସମର ଶର୍ଯ୍ୟାର ଆଖ୍ୟା ଦିଆଯାଇ ନବୀନ ସତର୍କ ଘଣ୍ଟି ବଜାଇବାର ସମ୍ଭାବନା ରହିଛି।ଦଳର ବିପର୍ଯ୍ୟୟ ଅବା ବଦନାମ ପାଇଁ ସରକାର ମୁଣ୍ଡେଇଥିବା ଦୋଷକୁ ନିଜ ଉପରକୁ ନେଇ ଶେଷ ମନ୍ତ୍ରୀ ମଣ୍ଡଳକୁ ଏକ ଲୋକାଭିମୂଖି ଭାବେ ପରିଗଣିତ କରିବାକୁ ନବୀନଙ୍କ କଠୋର ନିଷ୍ପତ୍ତିକୁ କେହି ଅସ୍ୱୀକାର କରିପାରିବେନି ।
୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରି ହେବାକୁ ହେଲେ ବିଜେଡି ଆଭିମୁଖ୍ୟରେ ପରିବର୍ତ୍ତନ ଅବଶ୍ୟମ୍ଭାବି । ବିରୋଧି ରାଜନୈତିକ ଦଳ ମାନଙ୍କୁ ମୁକାବିଲା କରିବା ସହିତ ଦଳ ଭିତରେ ଥିବା ଗୋଛିକଟା ରାଜନୀତିକୁ ପ୍ରତିହତ କରିବା ହେଉଛି ଦଳ ମୁଖିଆଙ୍କ ବର୍ତ୍ତମାନ ବଡ କାମ। ନବୀନଙ୍କ ପାୱାର କରିଡର ଭିତରେ କିଏ ଅଛି ତାହା ବଡକଥା ନୁହେଁ। ବରଂ ଦଳ ପାଇଁ କର କିମ୍ବା ମରକୁ ପାଶୋରୀ ନବୀନ ନୂଆଁ ନିତି ଧରିଛନ୍ତି । ତାହା ହେଉଛି “ଦଳ ପାଇଁ ବଳ ଦେଖାଅ”। ବ୍ୟକ୍ତିଗତ କାହା ପାୱାର ଧରି ବିଜେଡି ଲୋକଙ୍କ ସମ୍ମୁଖୀନ ନହୋଇ ପ୍ରତିଟି କର୍ମି ଓ ନେତା ନିଜ ବଳରେ ନିଜ ଗଡ ରକ୍ଷା କରିବାକୁ ନିଜ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଏକ ପ୍ରକାର ଇସାରା ଦେଳେଣି । ଅତି ନିକଟରେ ମନ୍ତ୍ରୀ ମଣ୍ଡଳ ପୁନଃ ଗଠିତ ହେଉଥିବାରୁ ଓ ବାଚସ୍ପତିଙ୍କ ସହ ୨ ମନ୍ତ୍ରୀଙ୍କ ଇସ୍ତଫା ଏଥିରେ କେବଳ ଖୋରାକ୍ ଯୋଗାଇନି ବରଂ ନବୀନଙ୍କ ଏହି ଶେଷ ମନ୍ତ୍ରୀ ମଣ୍ଡଳହିଁ ୨୦୨୪ ପାଇଁ ଭାଗ୍ୟ ନିର୍ଣ୍ଣୟର କାରଣ ସାଜିବ ତାହା ଜଳ ଜଳ ହୋଇ  ସ୍ପଷ୍ଟ ହେଉଛି। ପୁନଶ୍ଚ ଏହି ମନ୍ତ୍ରୀ ମଣ୍ଡଳକୁ ନେଇ ନବୀନ ନିଜ ଦଳ ସହ ବିରୋଧି ଓ ସମଗ୍ର ଦେଶ ଓ ଜାତିକୁ ଏକ ନୂଆଁ ବାର୍ତ୍ତା ଦେବାକୁ ଯାଇ ନିଜର ନିର୍ମଳ ଭାବମୂର୍ତ୍ତିକୁ ଭୋଟରଙ୍କ ସାମ୍ନାରେ ଥୋଇବାକୁ ଆଦୌ କୁଣ୍ଠାବୋଧ କରି ନପାରନ୍ତି । ଆଗାମୀ ୫ ବର୍ଷ ମଧ୍ୟ ଓଡିଶା ନବୀନ ଶାସନ ଦେଖିବ ଏଭଳି ରଣ କୌଶଳ ଆପଣାଇବାରେ ନବୀନ ମସ୍ତବଡ ମାଷ୍ଟରଷ୍ଟ୍ରୋକ୍ ଦେବେ ଏଥିରେ ଭାବିବାର କିଛିନାହିଁ । ସଶକ୍ତ ମହିଳା ଠାରୁ ଦଳକୁ ଏକ ଶକ୍ତି କେନ୍ଦ୍ରରେ ପରିଗଣିତ କରିବାକୁ ନବୀନଯେ ମନ ସ୍ଥିର କରିଥିବା ଓ ଏଭଳି ଏକ ଦର୍ପଣର ଛାପ ପରି ନବୀନ ନିଜ ଶେଷ ମନ୍ତ୍ରୀ ମଣ୍ଡଳକୁ ଓଡିଶା ବାସୀଙ୍କ ସ୍ୱାଭିମାନ ସହିତ ଯୋଡି ନିଜର ପାରଦର୍ଶିତା ପ୍ରଦର୍ଶନ କରବେ ଏଥିରେ କୌଣସି ସନ୍ଧେହ ନାହିଁ।
ସମଗ୍ର ଦେଶରେ ମହିଳା ସଶକ୍ତିକରଣକୁ ନେଇ ନବୀନ ପ୍ରଶଂସା ସାଉଁଟିଥିବା ବେଳେ ସେହି ମହିଳା ମାନଙ୍କ ସାମାଜିକ,ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ସହିତ ବିଭିନ୍ନ ପାରଦର୍ଶି କାମରେ ସେମାନଙ୍କ ଯୋଗଦାନରେ ସମଗ୍ର ଦେଶରେ ଓଡିଶାର ଭିନ୍ନ ପରିଚୟ ତୋଳିବାକୁ ନବୀନ ପ୍ରୟାସ ଏକ ସଂକଳ୍ପର ସାମ୍ନା ହେବାକୁ ଯାଉଛି । ସେହି ଢାଞ୍ଚାରେ ନବୀନ ଦଳକୁ ଏକ ‘ସଶକ୍ତ ଶକ୍ତି କେନ୍ଦ୍ର’ରେ ରୂପାନ୍ତରିତ କରି ଏକ ନୂଆଁ ଚକମା ଦେଖାଇବାକୁ ଆଗଭର ହେଉଛନ୍ତି। ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ତାଜୁବ କରି ନବୀନ ଯେଉ ମାଷ୍ଟରଷ୍ଟ୍ରୋକ୍ ଦେବେ ତାହା ଓଡିଶା ବାସୀଙ୍କ କେବଳ ହୃଦୟ ଜିଣିବାର ମହୌଷଧି ନୁହେଁ ବରଂ ବିରୋଧିଙ୍କୁ ପ୍ରାଣମୂର୍ଛା କରିବାକୁ ଜହର ପରି କାମ କରିବା ଭଳି ସେ ଚକମା ଦେଖାଇବେ । ଯାହା ଆସନ୍ତା ମନ୍ତ୍ରୀ ମଣ୍ଡଳ ୨୦୨୪ ପାଇଁ ନିର୍ବାଚନୀ ଛାପ ଭଳି କାମ କରିବ। ତେଣୁ ଚଳିତ ବର୍ଷର ଶେଷ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ଚତୁରତାର ସହିତ ନିଜ ପାରିବାପଣିଆର ଚତୁର ବୁଦ୍ଧିକୁ ବିନିଯୋଗ କରିବେ। ଯାହାକି ଦଳ ପାଇଁ ଏକ ନିର୍ମଳ ଭାବମୂର୍ତ୍ତିର ପ୍ରତିଛବି ହେବ। ଉତ୍ତରଦାୟିତ୍ୱ ସଂପାଦନା କରୁଥିବା ନେତୃତ୍ୱର ନିର୍ମଳ ହୃଦୟ ଭୋଟରଙ୍କ ମନ କିଣି ନେବା ଭଳି ନବୀନ ନିଜର ବୁଦ୍ଧି କୌଶଳ ଖଟାଇ ଆଗାମୀ ୫ ବର୍ଷ ପୁଣି ବିଜେଡି ହାତରେ ଓଡିଶା ଶାସନ ଭାର ଭଲି ଲୋକଙ୍କ ଅତୁଟ ବିଶ୍ୱାସକୁ ସାଉଁଟିବାରେ ସକ୍ଷମ ହୋଇପାରିବେ ।
ଅବଶ୍ୟ ରାଜନୈତିକ ଆବଶ୍ୟକତା ନବୀନଙ୍କ ପାଇଁ ମୁଖ୍ୟ ଅସ୍ତ୍ର। ତେଣୁ ନିଜ ଭାବମୁର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖି ଦଳ ବିଦ୍ରୋହୀ ଓ ବିରୋଧିଙ୍କୁ ନିଜ ସ୍ଥାନରେ ନିଜେ ବସି ରଖାଇବା ଭଳି ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ଦଳ ଅପେକ୍ଷା ସମଗ୍ର ଓଡିଶା ଭୋଟରଙ୍କ ମନ କିଣିବା ଭଳି ହେଉଥିବା ସମ୍ଭାବନା ଦେଖାଯାଉଛି । ଭୋଟରଙ୍କ ପାଖକୁ ଯେପରି ଆଉ ଭୁଲ ତଥ୍ୟ ନଯାଏ ଓ ସାଧାରଣ ଜନତା ବା ଭୋଟର ଯେପରି ଚର୍ଚ୍ଚାର ସୁଯୋଗ ନପାଇବେ ସେଭଳି ଚମତ୍କାର ନିଷ୍ପତ୍ତି ନେବାରେ ନବୀନ ଅଟଳ ରହିଥିବା ହୃଦବୋଧ ହେଉଛି ।୨୦୨୪ କୁ ଆଖି ଆଗରେ ରଖି ନବୀନଯେ ଏକ ସ୍ୱଚ୍ଛ ମନ୍ତ୍ରୀ ମଣ୍ଡଳ ଗଢୁଛନ୍ତି ଏହା ସ୍ପଷ୍ଟ। ଯିଏ ଯେତେ ଅଙ୍କ କଷିଲେ ବି ଦାଗି,ନିକର୍ମା,ଦୁର୍ବଳ,କୁହାଳିଆ ,ବିବାଦିୟ ଓ ଦକ୍ଷତା ବିହୀନ ମନ୍ତ୍ରୀବି ବାଦ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ପୁଣି ଯେଉଁ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧଭାଷ ଆସୁଛି ସେମାନଙ୍କ ପ୍ରତି ମଧ୍ୟ ନବୀନଙ୍କ ତୀକ୍ଷ୍ଣ ଦୃଷ୍ଟି ରହୁଥିବାରୁ ସେମାନଙ୍କୁ ମଧ୍ୟ ନିଜ ଗଡ ସମ୍ଭାଳିବାକୁ କୁହାଯାଇ ମନ୍ତ୍ରୀ ମଣ୍ଡଳରୁ ବାଦ ଦେବା ବଡ କଥା ନୁହେଁ । ବିଜେଡିକୁ ଶାସନ କରିଡର ଭିତରକୁ ଫେରିବାକୁ ଆସନ୍ତା ୫ ବର୍ଷ ପାଇଁ ନବୀନଯେ ଯେ କୌଣସି ବଡ ଧରଣର ରଣ କୌଶଳ ନଖେଳିବେ କହିହେବ ନାହିଁ । ଭୋଟରଙ୍କ ପାଖକୁ ଭୁଲ ତଥ୍ୟ ଯେପରି ନଯାଉ ସେଥିପ୍ରତି ବିଶେଷ ଧ୍ୟାନ ଦେଇ ଏକ ଲୋକାଭିମୂଖି ମନ୍ତ୍ରୀ ମଣ୍ଡଳ ଗଢିବାକୁ ନବୀନ ଯତପରୋନାସ୍ତି କାମ କରିବେ।
ସାଧାରଣ ଭାବେ ପୁନଃ ଗଠିତ ହେବାକୁ ଥିବା ମନ୍ତ୍ରୀମଣ୍ଡଳକୁ ସେ ସମତୁଳ ଓ ସନ୍ତୁଳିତ ଢାଞ୍ଚାରେ ରଖିବେ। ଯାହାକି ଏକ ପ୍ରଭାବଶାଳୀ ଓ ଲୋକାଭିମୂଖି ମନ୍ତ୍ରୀ ମଣ୍ଡଳ ଭାବେ ସାଧାରଣ ଭୋଟର ଓ ବୁଦ୍ଧିଜୀବୀ ମହଳରେ ଏକ ବିଶ୍ୱାସ ଜନ୍ମାଇବାରେ ସକ୍ଷମ ହେବେ। ଅନ୍ୟ ପାଇଁ ସରକାର ଉପରେ ଲାଗିଥିବା ଅଠା ଛଡାଇବା,ମୁଣ୍ଡ ଟେକୁଥିବା ଆଞ୍ଚଳିକ ବିବାଦର ଅବସାନ,ବରିଷ୍ଠତା ମତଭେଦ,ମହିଳା ଭାଗିଦାରିତା ପ୍ରମୂଖ ବିଷୟ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବାରୁ ନୂଆଁ ମନ୍ତ୍ରୀମଣ୍ଡଳରେ ଏ ସବୁକୁ ପ୍ରାଧାନ୍ୟ ଦିଆଯାଇ ମନ୍ତ୍ରୀମଣ୍ଡଳରେ ନୂଆଁ ମୁହଁ ଦେଖିବା ସମ୍ଭାବନା ରହିଛି। ଏପରିକି ଦକ୍ଷତା,ଅଭିଜ୍ଞତା,ବରିଷ୍ଠତା,ସ୍ୱଚ୍ଛତା,ସାଂଗଠାନିକ ଦକ୍ଷତା ପ୍ରତି ବିଚାର କରାଯାଉଥିବା ସହିତ ଆଞ୍ଚଳିକ ଭାରସାମ୍ୟ,ସଂରକ୍ଷିତ ପ୍ରଭୃତି ଦିଗକୁ ନେଇ କେବଳ ୩ ମନ୍ତ୍ରୀମଣ୍ଡଳର ଶୂନ୍ୟସ୍ଥାନ ପୂରଣ ହେବନି ବରଂ ଏଥିରେ ବର୍ଣ୍ଣିତ ବିଷୟ ବସ୍ତୁକୁ ଧ୍ୟାନ ଦିଆଯାଇ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ର ଆଭାସ ମିଳୁଛି । ଅନ୍ୟପକ୍ଷରେ ଶିକ୍ଷା,ସାଙ୍ଗଠନିକ କୌଶଳ କ୍ଷମତା ,ସେବା,ଯୁବ ଓ ମହିଳା ଶକ୍ତି,ସ୍ୱଚ୍ଛ ଭାବମୂର୍ତ୍ତି ସଂପନ୍ନଙ୍କୁ ସୁଯୋଗ ଦେବା ଭଳି ସୁଯୋଗ ସୃଷ୍ଟି କରାଯାଇ ଅପରକ ମନ୍ତ୍ରୀଙ୍କୁ ହଟାଇ ସେହି ସ୍ଥାନରେ ନୂଆଁ ମନ୍ତ୍ରୀଙ୍କୁ ସ୍ଥାନ ଦେବା ଭଳି ନବୀନଙ୍କ ନିଷ୍ପତ୍ତି ଉପରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ମନ୍ତ୍ରୀ କିଏ ହେବେ ନହେବେ ତାହା ମୁଖ୍ୟମନ୍ତ୍ରୀଙ୍କ ସଂପୁର୍ଣ୍ଣ ଇଚ୍ଛାଧିନ। ତେଣୁ ନବୀନ ଏକ ଦକ୍ଷଶୀଳ ଟିମ ଗଢି ନିଜ ନୂଆଁ ମନ୍ତ୍ରରେ ଓଡିଆଙ୍କ ସରଳ ପ୍ରାଣର ହୃଦୟ ନଜିତିବେ କିଏ କହିବ?
ପୁଣି କଥା ଉଠିପାରେ ଦଳ ପାଇଁ କୁହାଯାଉଥିବା କ୍ୟାରେସିସ ମ୍ୟାନେଜର ଯିବେ କୁଆଡେ ? ସେମାନଙ୍କୁ ମନ୍ତ୍ରୀ ପଦରେ ବସାଇବେତ ନବୀନ ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେବି କାହାକୁ ସନ୍ତୁଷ୍ଟ କରାଇ ନବୀନଯେ ଭୁଲ ନିଷ୍ପତ୍ତି ନେବେ ଭାବିବା ଭୁଲ ହେବ । ୨୦୨୪ କୁ ପୁର୍ବ ପ୍ରସ୍ତୁତି କୁହାଯାଉ ବା ସମର ଶର୍ଯ୍ୟା ଯାହାବି ହେଉ ମନ୍ତ୍ରୀ ପଦ ପାଇଁ କେହି ସେମିତି ମୁହଁ ଖୋଲିବା ସମ୍ଭାବନା ନାହିଁ । ବରଂ କ୍ରାଇସିସ୍ ମ୍ୟାନେଜର ମାନେ ସବୁ ମାନେଜ କରିବାକୁ ଏକ ପ୍ରକାର ପ୍ରସ୍ତୁତ ରହୁଥିବା ବେଳେ ଦଳ ପାଇଁ ବର୍ତ୍ତମାନ ବଡ ସମ୍ପତ୍ତି ଅରଜିବା ଭଳି ବିଚକ୍ଷଣତାର ଆବଶ୍ୟକତାକୁ ଉପଲବ୍ଧି କରିବା ସମୟ ଆସିଛି । କିଏ ମନ୍ତ୍ରୀ ହୁଅନ୍ତି କି ନାହିଁ ପରିସ୍ଥିତିକୁ ସାମ୍ନା କରି କିଛି ନବାଗତ ମନ୍ତ୍ରୀ ପଦର ମଙ୍ଗ ଧରିବା ନିଶ୍ଚିତ ମନେ ହେଉଛି। ବ୍ରହ୍ମପୁର ର ବିକ୍ରମ ପଣ୍ଡା, ଝାରସୁଗୁଡାର ନବ ନିର୍ବାଚିତା ସୁଶ୍ରୀ ଦୀପାଳି ଦାଶ,ପଦ୍ମପୁର ବିଧାୟିକା ବର୍ଷା ରାଣୀ ସିଂ ବରିହା,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନାମବି ସାମ୍ନାକୁ ଆସୁଛି । ତେବେ ବିକ୍ରମ ଓ ଦୀପାଳି ନବୀନଙ୍କ ପ୍ରଥମ ପସନ୍ଦ ଭାବେ ବର୍ତ୍ତମାନ ଉଭା ହୋଇଥିବା ମନେ ହେଉ ଥିଲେବି ୨୦୨୪କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏକ ସମତୁଳ,ସନ୍ତୁଳିତ ଓ ଲୋକାଭିମୂଖି ମନ୍ତ୍ରୀ ପରିଷଦ ଗଢିବା ସମ୍ଭାବନା ଦେଖାଦେଇଛି । କୌଣସି ବିବାଦୀୟଙ୍କୁ ସ୍ଥାନ ନଦେଇ ଏକ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ମନ୍ତ୍ରୀ ପରିଷଦ ଏବେ ସାମ୍ନାକୁ ଆସିବେ । ଯାହାକି ୨୦୨୪ ପୁର୍ବରୁ ସ୍ୱର୍ତ୍ତପ୍ରବୃତ୍ତ ଭାବେ ନବୀନ ନିଷ୍କଳଙ୍କ ର ଏକ ବାର୍ତ୍ତା ସୁଦୂର ପ୍ରସାରୀ ହୋଇ ୨୦୨୪ ନିର୍ବାଚନକୁ ଜିଣିବା ଅତି ସହଜ ହେବ। ସେଭଳି ମାଷ୍ଟରଷ୍ଟ୍ରୋକ୍ ଖେଲିବାରେ ନବୀନ ଏବେ ତୟାର। ସପ୍ତାହ ଭିତରେ ଏହାର ଅବସାନ ଘଟାଇ ନବୀନ ଦେଖାଇବେ ନବୀନ ଆଲୁଅ ।
ରାଜାରାମ ଷଡଙ୍ଗୀ
ଫୋନ: ୯୪୩୭୪ ୦୫୪୫୫

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories