IPLରୁ ସନ୍ନ୍ୟାସ ନେଲେ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ୨୭ ଅଗଷ୍ଟରେ ଇଣ୍ଡିଆନ ପ୍ରିମିୟର ଲିଗ (IPL) ରୁ ଅବସର ନେବା ନେଇ ଘୋଷଣା କରିଛନ୍ତି। ଗତ ୧୬ ବର୍ଷ ଧରି ଆଇପିଏଲ ର ଅଂଶ ଥିବା ଅଶ୍ୱିନ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ତାଙ୍କ ସନ୍ନ୍ୟାସ ବିଷୟରେ ଘୋଷଣା କରି ଲେଖିଛନ୍ତି ଯେ ଆଜି ଏକ ବିଶେଷ ଦିନ ଏବଂ ଏକ ବିଶେଷ ଆରମ୍ଭ ମଧ୍ୟ। ପ୍ରତ୍ୟେକ ଅନ୍ତର ଏକ ନୂତନ ଆରମ୍ଭ ଥାଏ। ଏଭଳୀ ଲେଖି IPLରୁ ତାଙ୍କର ଯାତ୍ରା ଶେଷ ହେଉଥିବା ସୂଚନା ଦେଇଛନ୍ତି।

ଏଥିସହିତ ସେ ବର୍ତ୍ତମାନ ଖେଳକୁ ନେଇ ଏକ ନୂତନ ଅନୁସନ୍ଧାନ କରିବାକୁ ଯାଉଥିବା ମଧ୍ୟ ସୂଚନା ଦେଇଛନ୍ତି।ତେବେ ସେ ସମସ୍ତ ଫ୍ରାଞ୍ଚାଇଜି BCCI ଏବଂ IPL କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ତେବେ ତାଙ୍କର ଆଗାମୀ ସମୟ ପାଇଁ ଉତ୍ସାହିତ ରହିବା ସହ ସେ ଏହାକୁ ପୂର୍ଣ୍ଣ ଉପଭୋଗ କରିବାକୁ ଚାହୁଁଥିବା ମଧ୍ୟ ଲେଖିଛନ୍ତି। ତେବେ ଅଶ୍ୱିନ IPLରେ ୨୨୧ ମ୍ୟାଚରେ ୧୮୭ ୱିକେଟ୍ ନେବା ସହ ୮୩୩ ରନ ମଧ୍ୟ କରିଥିଲେ। ଏଥିସହିତ ସେ ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଏବଂ ରାଇଜିଂ ପୁଣେ ସୁପରଜିଆଣ୍ଟସ ଭଳି ଦଳକୁ ପ୍ରତିନିଧିତ୍ୱ କରିଥିଲେ।

ସେ ୨୦୧୦ ଏବଂ ୨୦୧୧ରେ ଚେନ୍ନାଇ ସୁପର କିଙ୍ଗ୍ ସହିତ ଟାଇଟଲ ମଧ୍ୟ ଜିତିଥିଲେ। ପୂର୍ବରୁ ଅଶ୍ୱିନ ଡିସେମ୍ବର ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ବେଳେ ବର୍ତ୍ତମାନ୍ IPLକୁ ବିଦାୟ ଦେବା ପରେ ସେ ବର୍ତ୍ତମାନ୍ ବିଶ୍ୱର ବିଭିନ୍ନ ଟି ୨୦ ଲିଗରେ ଖେଳିବା ନେଇ ଯୋଜନା କରୁଥିବା ରିପୋର୍ଟରୁ ଜଣାପଡ଼ିଛି।