ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିର ମୃତ୍ୟୁ

ଜମନକିରା : ଜମନକିରା ଥାନା ଟିକିବା ପଞ୍ଚାୟତ ଅନ୍ତର୍ଗତ ରାଙ୍କୀବାହାଲ ଗ୍ରାମରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଆଜି ଅର୍ଡାପାଲ ଗ୍ରାମର ନୀଳମଣି ଲୁହୁରା (୩୬) ଙ୍କ ମୃତ୍ୟୁ ଘଟିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାଇ, ଆଜି ଅପରାହ୍ନ ସାଢେ଼ ୫ ଟା ସମୟରେ ଅର୍ଡାପାଳ ଗାଁର ନୀଳମଣି କୌଣସି କାମରେ ରାଙ୍କିବାହାଲ ଗ୍ରାମ ଆଡ଼କୁ ଯାଇଥିଲେ। ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡରେ ପଡ଼ିଥିବା ଏକ ଶୁଖିଲା ଗଛ ଉପରେ ଛତୁ ଫୁଟିଥିବା ଦେଖି ଗଛ ଉପର କୁ ଚଢି ଛତୁ ତୋଳୁଥିବା ସମୟରେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ରାତ୍ର ହୋଇଯାଇଥିବା ଯୋଗୁଁ ଆସନ୍ତା କାଲି କୁଚିଣ୍ଡା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠେଇବେ ଓ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ବୋଲି ପୋଲିସ କହିଛି।