୬.୩ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଏହି ଦେଶ
ନୂଆଦିଲ୍ଲୀ: ସୋମବାର ସକାଳେ ଉତ୍ତର ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ପ୍ରାୟ ୨୮ କିଲୋମିଟର ଭୂଗର୍ଭରେ ମଜାର-ଏ-ଶରିଫ ସହର ଏବଂ ଖୁଲମ୍ ସହର ନିକଟରେ ୬.୩ ତୀବ୍ରତାର ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।
ସୋମବାର ସକାଳେ ସ୍ଥାନୀୟ ସମୟ ପ୍ରାୟ ୧ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ବଲଖ ପ୍ରଦେଶ ଏବଂ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଉତ୍ତର ଆଫଗାନିସ୍ତାନର ଏକ ପ୍ରମୁଖ ଏବଂ ଘନ ଜନବହୁଳ ସହର ମଜାର-ଏ-ଶରିଫ ଭୂମିକମ୍ପ କେନ୍ଦ୍ରଠାରୁ ଅଳ୍ପ ଦୂରରେ ଥିଲା। USGS ଅନୁଯାୟୀ, ଏହି ଭୂମିକମ୍ପରେ ବହୁ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶହ ଶହ ଲୋକ ମୃତ କିମ୍ବା ଆହତ ହୋଇପାରନ୍ତି। ଅନେକ ଘର ଏବଂ କୋଠା ଭୁଶୁଡ଼ି ପଡ଼ିବାର ଆଶଙ୍କା କରାଯାଉଛି।
ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ “ଦେଶର ବିଭିନ୍ନ ପ୍ରଦେଶ ପୁଣି ଥରେ ପ୍ରାୟ ୧ଟା ସମୟରେ ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଥିଲା।”ଭୂମିକମ୍ପ କେବଳ ଆଫଗାନିସ୍ତାନ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ପାକିସ୍ତାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଚାରିଟି ପଡ଼ୋଶୀ ଦେଶର ଲୋକମାନେ ଘରୁ ପଳାଇ ଯାଇଥିଲେ, ଏବଂ କିଛି ଅଞ୍ଚଳରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଥିଲା। USGS ର PAGER ସିଷ୍ଟମ ଏହି ଭୂମିକମ୍ପ ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଯାହାର ଅର୍ଥ ହେଉଛି ମାନବ ଏବଂ ଆର୍ଥିକ କ୍ଷତିର ସମ୍ଭାବନା ଅଧିକ। ସେହିପରି ଏଜେନ୍ସି କହିଛି ଯେ “ଗୁରୁତ୍ୱପୂର୍ଣ୍ଣ କ୍ଷତି ଏବଂ ବହୁ ସଂଖ୍ୟକ ମୃତାହତ ହେବାର ସମ୍ଭାବନା ଅଛି। ଏହା ଏକ ଆଞ୍ଚଳିକ ବିପର୍ଯ୍ୟୟ ମଧ୍ୟ ପ୍ରମାଣିତ ହୋଇପାରେ।”

