ଜମନକିରା ଫୁଲକୁସୁମ ବନାଞ୍ଚଳରେ ହାତୀ ଉପଦ୍ରଵ; ଏକାଧିକ ଏକର ଜମିରେ ହାତୀ ପଲ ମାଡ଼ିଦଳି ଧାନ ଫସଲ କଲେ ନଷ୍ଟ, ଚିନ୍ତାରେ ଚାଷୀ
ଜମନକିରା : ଜମନକିରା ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ ଅଧୀନ ଜମନକିରା ସେକ୍ସନ୍ ଫୁଲକୁସମ ବିଟରେ ଏଵେ ଜଙ୍ଗଲି ହାତୀ ଉପଦ୍ରଵ ଲାଗି ରହିଛି l ସନ୍ଧ୍ୟା ହେଲେ ହାତୀପଲ ଜମିରେ ପଶି ଚାଷୀଙ୍କ ପାଚିଲା ଧାନ ମାଡ଼ିଦଳି ଫସଲ ନଷ୍ଟ କରୁଥିବା ବେଳେ ଏଵେ ଚାଷୀକୁଳ ନିଜ ଫସଲ ରକ୍ଷା ପାଇଁ ଚିନ୍ତାରେ ପଡିଛନ୍ତି। ବନ ବିଭାଗ ପକ୍ଷରୁ ସଠିକ ପଦକ୍ଷେପ ନିଆ ଯାଉ ନଥିବା ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଜମନକିରା ସେକ୍ସନ ଅଞ୍ଚଳରେ ଧାନ ଅମଳ ପୁର୍ବୁରୁ ଅନେକ ଗାଁରେ ହାତୀପଲ କ୍ଷୟକ୍ଷତି କରୁଛନ୍ତି । ଏହିକ୍ରମରେ ଫୁଲକୁସମ ବିଟ ଅଧୀନ ବଡ଼ମାଳ, କୋଲପାଳ, ଜାମୁମାଲ, ଟାଙ୍ଗରାଣୀ, ବଂଜାରି, ପାଲୋଖମନ, ସାଉନ୍ତିମାଲ, ଫୁଲକୁସମ, ବାଞ୍ଜିଆମ, କଟଙ୍ଗପାଣି ଆଦି ଅନେକ ଗାଁରେ ହାତୀପଲ ଚାଷ ଜମିକୁ ପଶି ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି l ବଡମାଲ ଗାଁର ସୁଜିତ୍ ବୁସ (୩୫) ଏଵଂ ସୁସ୍ମିତା ମୁଣ୍ଡା (୩୨)ଙ୍କ ପ୍ରାୟ ୫ ଏକର ଚାଷଜମିକୁ ହାତୀପଲ ମାଡି ଦଳି ଖାଇ ନଷ୍ଟ କରିଛନ୍ତି। ଏନେଇ ଗାଁ ଲୋକେ ବାରମ୍ବାର ବନ କର୍ମଚାରୀଙ୍କୁ ହାତୀପଲ ସଂପର୍କରେ ସୂଚନା ଦେଉଥିଲେ ସୁଦ୍ଧା ହାତୀ ଘଉଡ଼ିବା ପାଇଁ ବିଲକୁଲ ଉଦ୍ୟମ କରୁ ନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି l ଫଳରେ ଗ୍ରାମବାସୀ ମହିଳା, ପୁରୁଷ, ଛୁଆ ପିଲା ମାନେ ଏକା ସାଙ୍ଗରେ ଜମା ହୋଇ ଏଵେ ନିଜେ ସନ୍ଧ୍ୟା ବେଳେ ନିଜ ଚାଷ ଜମିକୁ ଯାଇ ମଶାଲ ଜଳାଇ, ବାଜା, ଫଟକା, ଶବ୍ଦ ଯନ୍ତ୍ର ବଜାଇ ଜଙ୍ଗଲି ହାତୀ ଘଉଡ଼ାଉଛନ୍ତି l ରାତି ସାରା ଚାଷ ଜମିରେ ଅନିଦ୍ରା ରହି ହାତୀ ଘଉଡ଼ାଉ ଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ିବା ପାଇଁ କୌଣସି ପ୍ରକାର ସରକାରୀ ସୁବିଧା ମିଳି ପାରୁନାହିଁ। ବନବିଭାଗ କର୍ମଚାରୀ ଗାଁକୁ ମଝି ମଝିରେ ଆସି ଲୋକଙ୍କ ସହିତ ମୋବାଇଲ ସେଲ୍ଫି ନେଇଚାଲି ଯାଉଥିବା ଲୋକେ କହିଛନ୍ତି। ଏଭଳି ପରିସ୍ଥିତିରେ ହାତୀ ଘଉଡ଼ାଇବା ବେଳେ ଯଦି କୌଣସି ଅଘଟଣ ଘଟେ କିମ୍ବା କୌଣସି ଚାଷୀଙ୍କୁ ହାତୀ ଆକ୍ରମଣ କରେ ସେଥି ପାଇଁ ବନବିଭାଗ ଦାୟୀ ରହିବ ବୋଲି ବଡ଼ମାଲ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ଏଣୁ ଜମନକିରା ବନ ବିଭାଗ ପକ୍ଷରୁ ଚାଷୀଙ୍କୁ ଅବିଳମ୍ବେ ଚାଷୀଙ୍କୁ କ୍ଷୟକ୍ଷତିର ଅନୁକମ୍ପା ରାଶି ପ୍ରଦାନ ସହ ହାତୀ ଘଉଡାଇବା ପାଇଁ ଅତ୍ୟାଧୁନିକ ସାମଗ୍ରୀ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ବନ ବିଭାଗ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି। ଏନେଇ ଜମନକିରା ରେଞ୍ଜ ଅଫିସର୍ ଲକ୍ଷ୍ମୀନାରାୟଣ ନାଏକଙ୍କୁ ପଚାରିବାରୁ ଗାଁ ଲୋକଙ୍କ ସହିତ ଆମର ଷ୍ଟାଫ୍ ହାତୀପଲ ଯେଉଁ ଆଡ଼େ ଯାଉଛି ଜଗୁଛନ୍ତି। ଯେଉଁ ଚାଷୀଙ୍କ ଧାନ ହାତୀପଲ କ୍ଷତି କରୁଛି ଅନୁକମ୍ପା ସାଇଟ୍ କୁ ଯାଇ ଅନଲାଇନ ରେ ଦରଖାସ୍ତ କରନ୍ତୁ କିମ୍ବା ତାଙ୍କର ବନ କର୍ମଚାରୀଙ୍କ ସହିତ ଯୋଗାଯୋଗ କଲେ ବନକର୍ମଚାରୀ ସ୍ପଟ୍ କୁ ଯାଇ ନିରୀକ୍ଷଣ କଲା ପରେ କ୍ଷୟକ୍ଷତି ରାଶି ପ୍ରଦାନ କରିବାରେ ସହାୟକ ହେବ ବୋଲି କହିଥିଲେ।

