ନୂଆଦିଲ୍ଲୀ: ଜାତୀୟସ୍ତର ରାଜନୀତିରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମଧ୍ୟରେ କେଉଁଭଳି ଭିତିରି ସଂପର୍କ ରହିଛି ତାହା କାହାକୁ ଅଛପା ନୁହେଁ। ସେ ଲୋକସଭା ହେଉ କିମ୍ବା ରାଜ୍ୟସଭା ଅବା ରାଷ୍ଟ୍ରପତି ନିର୍ବାଚନ ପ୍ରତିଟି ଗୁରୁତ୍ଵପୂର୍ଣ୍ଣ ସମୟରେ ବିଜେପିର ସାନ ଭାଇ ପରି ରହି ଆସିଛି ବିଜେଡି। ଏହି କ୍ରମରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଇବା ଏବଂ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ ପାଇଁ ଆମନ୍ତ୍ରିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂୟସୀ ପ୍ରଶଂସା କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ମହତ୍ଵପୂର୍ଣ୍ଣ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗ ଦେଲେ ନାହିଁ। ନବୀନଙ୍କ ଏହି ପଦକ୍ଷେପ ରାଜନୈତିକ ବିଶେଷଜ୍ଞମାନଙ୍କୁ ଚକିତ କରିଛି।
ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ। ହେଲେ ଅନ୍ତିମ ସମୟରେ ନିଜ କାର୍ଯ୍ୟକ୍ରମ ପରିବର୍ତ୍ତନ କରିଦେଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ନିଜର ୫ମ କାର୍ଯ୍ୟକାଳର ଚତୁର୍ଥ ବର୍ଷ ପୂର୍ତ୍ତିର ପ୍ରସ୍ତୁତି ପାଇଁ ଓଡ଼ିଶାରେ ରହିଗଲେ। ସିଏମଓର ସୂତ୍ର ଅନୁଯାୟୀ, ସରକାରୀ କାମର ସମୀକ୍ଷା ନେଇ ପୂର୍ବରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିଲା। ବର୍ତ୍ତମାନ ନବୀନ ୨୦୧୯ ନିର୍ବାଚନ ସମୟରେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ଦୂର ପାଳନ କରାଯାଇଛି ତାର ମସୀକ୍ଷା କରୁଛନ୍ତି। ଉଲ୍ଲେଖନୀୟ ନବୀନ ପଟ୍ଟନାୟକ ୨୦୧୯ ମେ ୨୯ ତାରିଖରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
ନବୀନ ପଟ୍ଟନାୟକଙ୍କ ବ୍ୟତୀତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବୈଠକରେ ଯୋଗ ଦେଇ ନାହାନ୍ତି।
ସବୁଠୁ ବଡ଼ କଥା ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କିଛି ଦିନ ତଳେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସମୟରେ ଭଲ ବନ୍ଧୁତା ଦେଖିବାକୁ ମିଳିଥିଲା। ପିଏମ ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିଜର ମିତ୍ର ବୋଲି ସମ୍ବୋଧିତ କରିଥିଲେ। ଅନ୍ୟପଟେ ନବୀନ ପଟ୍ଟନାୟକ ବୁଲେଟ୍ ଟ୍ରେନକୁ ନେଇ ପିଏମ ମୋଦୀଙ୍କ ଦୃଷ୍ଟିକୋଣକୁ ବେଶ ପ୍ରଶଂସା କରିଥିଲେ। ପୁରୀରେ ବିମାନ ବନ୍ଦରର ଉଦଘାଟନ ପାଇଁ ମୋଦୀଙ୍କୁ ଆମନ୍ତ୍ରିତ କରି ନବୀନ କହିଥିଲେ ଯେ, ତାଙ୍କ ସରକାର ପୁରୀ ବିମାନ ବନ୍ଦରକୁ ବିଶ୍ଵସ୍ତରୀୟ କରିବା ପାଇଁ ପିଏମ ମୋଦୀଙ୍କ ଦ୍ଵାରା ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ ସାମିଲ୍ କରିବେ।
ଏପରିକି ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟରେ ସାମିଲ୍ ହେବାକୁ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ଜାତୀୟସ୍ତର ରାଜନୀତିରେ ତାଙ୍କ ପାର୍ଟି ସମଦୂରତା ବଜାୟ ରଖିବ ବୋଲି କହିଥିଲେ। ଏହା ବାଦ ନୂତନ ସଂସଦ ଭବନର ଉଦଘାଟନ ସମାରୋହକୁ ବିରୋଧୀଙ୍କ ବହିଷ୍କାର ମଧ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର କେନ୍ଦ୍ରକୁ ସମର୍ଥନ କରିଥିଲେ। ଏହା ପୂର୍ବରୁ ବିଜେଡି ନାଗରିକତା ସଂଶୋଧନ ପରି ବିଧେୟକର ସମର୍ଥନ ମଧ୍ୟ କରିଥିଲେ।
ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗ ନଦେବା ସମସ୍ତଙ୍କୁ ବିସ୍ମିତ କରିଛି। ରାଜନୈତିକ ମହଲରେ ଭିନ୍ନ ଭିନ୍ନ ପ୍ରକାରର ଆଲୋଚନା ହେଉଛି। ବିଜେଡିର ନେତାମାନେ ନୀତି ଆୟୋଗ ବୈଠକରେ ନବୀନ ପଟ୍ଟନାୟକ ଯୋଗ ନଦେବା ଉପରେ ମଧ୍ୟ କୌଣସି ଟିପ୍ପଣୀ କରି ନାହାନ୍ତି। ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ନବୀନ ପଟ୍ଟନାୟକ ଟିଭି, ସମାଚାର ପତ୍ର ଏବଂ ସାମାଜିକ ଗଣମାଧ୍ୟମରେ ବିଜେପି ଏବଂ ମୋଦୀଙ୍କ ସହିତ ତାଙ୍କର ବଢୁଥିବା ନିବିଡ଼ତାକୁ ନେଇ ଯେଉଁ ଖବର ପ୍ରକାଶ ପାଉଛି ସେଥିରେ ସେ ପ୍ରଭାବିତ ନାହାନ୍ତି। ତେଣୁ ଏହାର ସନ୍ଦେଶ ଦେବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀତି ଆୟୋଗ ବୈଠକରେ ଯୋଗ ନଦେବାକୁ ଉଚିତ୍ ମଣିଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ମତରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଶଶିଭୂଷଣ ବେହେରା ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ବାହାର କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ଏହାର ସଙ୍କେତ ଯେ, ବିଜେଡି ବରାବରର ରାଜନୀତି କରିବାରେ ମାହିର। କେତେ ବେଳେ ସମର୍ଥନ ଦେବା ଏବଂ କେତେବେଳେ ବିରୋଧ କରିବା ଏହା ବିଜେଡିକୁ ବେଶ ଭଲ ଭାବେ ଜଣା। ତେଣୁ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ନବୀନ ନୀତି ଆୟୋଗ ବୈଠକରେ ଯୋଗ ନଦେଇ ଏହି ବାର୍ତ୍ତା ଦେବାକୁ ପୁଣି ଥରେ ଚେଷ୍ଟା କରିଛନ୍ତି ଯେ, ତାଙ୍କ ପାର୍ଟି ବିଜେପି ଏବଂ କଂଗ୍ରେସଠୁ ସମଦୂରତା ବଜାୟ ରଖିଛି।