Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ପ୍ରଶାସନର ମିଡନାଇଟ୍ ଅପରେସନ: ଥରିଲେ ବାଲି ମାଫିଆ, ଜବତ ହେଲା ୯ ହାଇୱା ଓ ୨ ଜେସିବି ।

ବଲାଙ୍ଗୀର,୧୬।୫: ବଲାଙ୍ଗୀର ଜିଲ୍ଲାରେ ବେଆଇନ ବାଲି କାରବାର ଓ ମାଫିଆଙ୍କ ଦୌରାତ୍ମ୍ୟ ବିରୋଧରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ଅର୍ଥାତ୍ ଶୁକ୍ରବାର ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବାଲିଘାଟରେ ଏକ ସ୍ପେଶାଲ ‘ମିଡନାଇଟ୍ ଅପରେସନ’ କରାଯାଇ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଏକ ବଡ଼ ରାକେଟକୁ ପଦାରେ ପକାଯାଇଛି।
ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ବ୍ଲକର ବିଭିନ୍ନ ନଦୀ ଓ ନାଳରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଏସପି ଅଭିଳାଷ ଜୀ ନିଜେ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଶାସନର ଏହି ଅତର୍କିତ ଚଢ଼ାଉ ବାଲି ମାଫିଆଙ୍କ ମଧ୍ୟରେ କାଳ ସୃଷ୍ଟି କରିଛି। ଅନ୍ଧାରର ସୁଯୋଗ ନେଇ କିଛି ମାଫିଆ ରାସ୍ତାରେ ବାଲି ଅଜାଡ଼ି ଫେରାର୍ ମାରିଥିବା ବେଳେ ପ୍ରଶାସନ ପକ୍ଷରୁ ୯ଟି ହାଇୱା ଟ୍ରକ୍ ଏବଂ ବାଲି ଖୋଳିବାରେ ବ୍ୟବହୃତ ୨ଟି ଜେସିବି ମେସିନକୁ ଜବତ କରାଯାଇଛି।
ଏହି ଘଟଣାରେ ପୋଲିସ କିଛି ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ ମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି। ତେବେ ଏହି ବେଆଇନ କାରବାର ପଛରେ ପ୍ରଶାସନିକ ଶିଥିଳତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ପୂର୍ବରୁ ଗିରଫ ହୋଇଥିବା ଗାଡ଼ିଗୁଡ଼ିକୁ କେଉଁ ପରିସ୍ଥିତିରେ ଛାଡ଼ି ଦିଆଗଲା ଏବଂ ଖଣି ବିଭାଗର ଅଧିକାରୀଙ୍କ ସମ୍ପୃକ୍ତି କେତେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଜଣେ ଖଣି ଅଧିକାରୀଙ୍କ ନାମରେ ବେଲପଡ଼ା ଥାନାରେ ଚାନ୍ଦା ଆଦାୟ ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ବଲାଙ୍ଗୀର ଜିଲ୍ଲାର ଛଅଟି ନଦୀ ଓ ଅନେକ ନାଳରୁ ବାଲି ଚୋରା ଚାଲାଣ ଯୋଗୁଁ ରାଜସ୍ୱ ହାନି ହେବା ସହ ପରିବେଶର ବ୍ୟାପକ କ୍ଷତି ହେଉଛି। ଏହି କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଓ ନିୟମିତ ମନିଟରିଂର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
“ବାଲି ମାଫିଆଙ୍କ ବିରୁଦ୍ଧରେ ଆମର ଏହି ଅଭିଯାନ ଜାରି ରହିବ। ବେଆଇନ ଲୁଟ୍‌କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡିଛି ।
ଏହି ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ପରେ ସାରା ଜିଲ୍ଲାରେ ଚୋରା ଚାଲାଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories