ମୁରିବାହାଲରେ ୫୫ତମ ସାର୍ବଜନୀନ ଦୂର୍ଗାପୂଜା ପାଇଁ କଳସ ଯାତ୍ରା ଏବଂ ଅଧିବାସ ନୀତି ସମ୍ପନ୍ନ: ଆସନ୍ତାକାଲିଠାରୁ ଆରମ୍ଭ ହେବ ମା’ଙ୍କ ପୂଜାର୍ଚ୍ଚନା ।
ମୁରିବାହାଲ,୧୬।୧୦: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟରେ ଚାଲିଥିବା ୫୫ତମ ସାର୍ବଜନୀନ ଦୂର୍ଗାପୂଜା ଉପଲକ୍ଷେ ଆଜି ଭକ୍ତିମୟ ପରିବେଶରେ କଳସ ଯାତ୍ରା ତଥା ଅଧିବାସ ଅନୁଷ୍ଠିତ ହୋଇଯାଇଛି।
ଆଜି ଅପରାହ୍ନରେ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପଠାରୁ ପୂଜା କମିଟିର କର୍ମକର୍ତ୍ତାମାନେ ପାରମ୍ପାରିକ ବାଦ୍ୟ ଏବଂ କୀର୍ତ୍ତନ ଦଳ ସାଥୀରେ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ।
ଏହି ଅବସରରେ କମିଟିର କର୍ମକର୍ତ୍ତାମାନେ ମା’ ଦୂର୍ଗାଙ୍କ ପୂଜା ଖଣ୍ଡା ଏବଂ କଳସ ଧରି ସ୍ଥାନୀୟ ଖଜୁରୀ ବନ୍ଧ ନିକଟରେ ପହଞ୍ଚିଥିଲେ। ସେଠାରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବା ପରେ ଜଳପୂର୍ଣ୍ଣ କଳସୀ ଧରି ପୁନର୍ବାର ମା’ଙ୍କ ପୂଜା ମଣ୍ଡପକୁ ଫେରିଥିଲେ ଏବଂ ଶାସ୍ତ୍ରୀୟ ବିଧି ଅନୁଯାୟୀ କଳସ ସ୍ଥାପନ କରାଯାଇଥିଲା।
ପ୍ରକାଶ ଥାଉକି, ଆସନ୍ତାକାଲି ଅର୍ଥାତ୍ ଶନିବାର ସପ୍ତମୀ ତିଥିଠାରୁ ମା’ ଦୂର୍ଗାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ସହ ବିଧିବଦ୍ଧ ପୂଜାର୍ଚ୍ଚନା ଆରମ୍ଭ ହେବ। ଯାହାକି ଆସନ୍ତା ଦଶମୀ ତିଥି ପର୍ଯ୍ୟନ୍ତ ଜାରି ରହିବ। ପୂଜା ସମୟରେ ପ୍ରତିଦିନ ସନ୍ଧ୍ୟାରେ ଦର୍ଶକ ଓ ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ନେଇ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷର ଏହି ପୂଜାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏହି କମିଟିର ସଭାପତି ଭାବେ ଅଜିତ୍ କୁମାର ତରିଆ, ଉପ-ସଭାପତି ଅବିନାଶ ଭୋଇ, ସମ୍ପାଦକ: ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହ-ସମ୍ପାଦକ ଲଲିତ କୁମାର ବଘାର ଏବଂ ଜିତେଶ୍ ସେଠ୍ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ପୂଜା ମଣ୍ଡପରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବା ପରେ ସମଗ୍ର ମୁରିବାହାଲ ଅଞ୍ଚଳରେ ଏବେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

