ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ: ଆଗଲପୁର ବ୍ଲକ ଡୁଡୁକା ଗ୍ରାମରେ ଶୋକର ଛାୟା ।
ବଲାଙ୍ଗୀର,୧୭।୫: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ରେ ୧୧ କେଭି ବିଦ୍ୟୁତ୍ ଲାଇନ ସଜାଡୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବିଭାଗୀୟ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମରେ। ମୃତ କର୍ମଚାରୀ ଜଣକ ହେଉଛନ୍ତି ସ୍ଥାନୀୟ ଗ୍ରାମର ମୁକେଶ ପଟେଲ (୨୪)।
ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ଡୁଡୁକା ଗ୍ରାମରେ ବିଦ୍ୟୁତ୍ ସରବରାହରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାର ସମାଧାନ ପାଇଁ ବିଭାଗୀୟ କର୍ମଚାରୀ ମୁକେଶ ଏକ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ୧୧ କେଭି ଲାଇନ ସଜାଡୁଥିଲେ। ମାତ୍ର କାମ କରୁଥିବା ସମୟରେ ହଠାତ୍ ସେ ସଜୀବ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ଏବଂ ଗୁରୁତର ହୋଇପଡ଼ିଥିଲେ।
ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଓ ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ମାତ୍ର ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ‘ମୃତ’ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ମୃତଦେହର ଶବ ବ୍ୟବଚ୍ଛେଦ କରାଯିବା ପରେ ତାହାକୁ ଶୋକାକୂଳ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପ୍ରାୟ ଦୁଇ ବର୍ଷ ତଳେ ଚାକିରିରେ ଯୋଗ ଦେଇଥିବା ମୁକେଶ ତାଙ୍କ ମା’-ବାପାଙ୍କର ଏକମାତ୍ର ପୁଅ ଥିଲେ। ମୁକେଶଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ଯୁବକଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣା ପାଇଁ ବିଦ୍ୟୁତ୍ ବିଭାଗର ଦାୟିତ୍ୱହୀନତା ଓ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ଏହି ଅକାଳ ବିୟୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଗଭୀର ଶୋକର ଛାୟା ଖେଳିଯାଇଛି।

