ଟିକିଲିପଡ଼ା ଗାଁରେ ବିଦ୍ୟୁତ୍ ସମସ୍ୟା, ଗ୍ରିଡ୍ ରେ ତାଲା ପକାଇଲେ ଗ୍ରାମବାସୀ; ନିର୍ଭର ପ୍ରତିଶ୍ରୁତି ପରେ ତାଲା ଖୋଲିଲେ
ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ ଅଞ୍ଚଳରେ ଗତ କିଛି ଦିନ ହେଲା ବିଦ୍ୟୁତ୍ ସମସ୍ୟା ଲାଗି ରହିଛି। ଏନେଇ ଗ୍ରାମବାସୀ ଅନେକ ଥର ଜମନକିରା ଗ୍ରିଡ୍ କୁ ଆସି ସମସ୍ୟା ସମ୍ପର୍କରେ ସେକ୍ସନ ଅଫିସରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ବିଭାଗ ପକ୍ଷରୁ ପ୍ରତିକାର କରୁ ନଥିବାରୁ ଆଜି ଉତ୍ୟକ୍ତ ଗ୍ରାମବାସୀ ସମିତି ସଭ୍ୟ ରୋହିତ ଭୋଇ ଏବଂ ସରପଞ୍ଚ ଅଜିତ ନାଏକଙ୍କ ନେତୃତ୍ୱରେ ଗ୍ରିଡ୍ ମୁଖ୍ୟ ଗେଟରେ ତାଲା ପକାଇ ଥିଲେ। ପରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ଆଇଆଇସି ରଞ୍ଜନ ନାଗ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସେକ୍ସନ ଅଫିସର ଶିବ ପ୍ରସାଦ ନୁନାଙ୍କୁ ଡକେଇ ସମାଧାନ କରିଥିଲେ। ବିଡ଼ିଓ ଏବଂ ଆଇଆଇସି ଙ୍କ ନିର୍ଭର ପ୍ରତିଶ୍ରୁତି ପରେ ତାଲା ଖୋଲି ଥିଲେ। ପରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲା।
ସୂଚନା ମୁତାବକ, ଟିକିଲିପଡ଼ା ପଞ୍ଚାୟତ ଅଞ୍ଚଳରେ ମାସାଧିକ କାଳ ହେବ ବିଦ୍ୟୁତ୍ ସମସ୍ୟା ରହିଛି। ଏନେଇ ଗ୍ରାମବାସୀ ଅନେକ ଥର ଜମନକିରା ଗ୍ରିଡ୍ କୁ ଆସି ସେକ୍ସନ ଅଫିସର ଙ୍କୁ ଲିଖିତ ଅଭିଯୋଗ କରି ଶୀଘ୍ର ସମସ୍ୟା ସମାଧାନ କରିବା ପାଇଁ କାକୁତି ମିନତି ହୋଇଛନ୍ତି। ମାତ୍ର ବିଭାଗ ପକ୍ଷରୁ ଅବହେଳା କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ଗ୍ରୀଷ୍ମ ଦିନ ଥିବା ବେଳେ ଅସହ୍ୟ ଗରମ ଯୋଗୁଁ ଲୋକେ ଡହକ ବିକଳ ହେଉଛନ୍ତି। ଏଥିଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଗତ ମାସ ୧୩ ତାରିଖ ଦିନ ବିଭାଗ ଅଧିକାରୀଙ୍କୁ ଲିଖିତ ଚେତାବନୀ ଦେଇଥିଲେ। ତା ସତ୍ତ୍ୱେ ବିଭାଗ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଇଥିଲା। ଆଜି ଉତ୍ୟକ୍ତ ଗ୍ରାମବାସୀ ସମିତି ସଭ୍ୟ ଏବଂ ସରପଞ୍ଚ ଙ୍କୁ ଧରି ଜମନକିରା ଗ୍ରିଡ୍ କୁ ଆସି ପ୍ରଥମେ ସେକ୍ସନ ଅଫିସରଙ୍କୁ ଖୋଜିଥିଲେ। ସେ କୌଣସି ମିଟିଂ ପାଇଁ ସମ୍ବଲପୁର ଯାଇଥିବାରୁ ଉତ୍ୟକ୍ତ ଗ୍ରାମବାସୀ ଗ୍ରିଡ୍ ମୁଖ୍ୟ ଗେଟ ରେ ତାଲା ପକାଇଥିଲେ। ପରେ ଉତ୍ତେଜନା ପ୍ରକାଶ ପାଇବାରୁ ଥାନା ଅଧିକାରୀ ସେକ୍ସନ ଅଫିସରଙ୍କୁ ଯୋଗାଯୋଗ କରି ବିଡ଼ିଓ ଙ୍କୁ ଜଣାଇଥିଲେ। ବିଡ଼ିଓ, ଆଇଆଇସି ଗ୍ରିଡ୍ ରେ ପହଞ୍ଚି ସେକ୍ସନ ଅଫିସର ଙ୍କୁ ଡକେଇ ସମସ୍ୟା ର ସମାଧାନ କରିଥିଲେ। ଉକ୍ତ ଅଞ୍ଚଳ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରି ସମସ୍ୟା ସମାଧାନ କରିବା ପାଇଁ ନିର୍ଭର ପ୍ରତିଶୃତି ଦେବା ପରେ ତାଲା ଖୋଲା ଯାଇଥିଲା। ତାଲା ପକେଇବା ବେଳେ ବିଦ୍ୟୁତ୍ ଯୋଗାଣ ବନ୍ଦ କରି ଦେଇଥିଲେ। ଦୀର୍ଘ ୩ ଘଣ୍ଟା ରୁ ଅଧିକ ସମୟ ବିଦ୍ୟୁତ୍ ଯୋଗାଣ ବନ୍ଦ ଥିବାରୁ ସେକ୍ସନ ଅଧୀନରେ ନିର୍ଭର ଥିବା ସମସ୍ତ ଅଞ୍ଚଲରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ତାଲା ଖୋଲିବା ପରେ ଯୋଗାଣ ସ୍ୱାଭାବିକ ହୋଇଥିଲା।

