ବିଶ୍ୱ ପରିବେଶ ଦିବସରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ
ଜମନକିରା : ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଜମନକିରା ରେଞ୍ଜ ଫାଶିମାଲ ପଞ୍ଚାୟତ ପୁକୁଡ଼ା-ଗରିଆବାହାଲ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ବନାଞ୍ଚଳ ଅଧିକାରୀ ଲେଖାରାଣୀ ମହାନନ୍ଦଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳନ କରାଯାଇଥିଲା। “ଏକ ପେଡ଼ ମା’ କେ ନାମ” ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଫାଶୀମାଲ ସରପଞ୍ଚ ମାଧବୀଲତା ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ଏହି ଅବସରରେ ବୃକ୍ଷ ପ୍ରେମୀମାନେ ବୃକ୍ଷରୋପଣ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ବର୍ତ୍ତମାନ ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଅସ୍ୱାଭାବିକ ପାଣିପାଗ, ଗ୍ଲୋବାଲ ୱାର୍ମିଂ, ଉଷ୍ମତା ବୃଦ୍ଧି, ବନ୍ୟା, ବାତ୍ୟା, ମରୁଡ଼ି ଓ ଜୈବ ବିବିଧତା ହ୍ରାସ ଭଳି ସମସ୍ୟାର ସମ୍ମୁଖୀନ ହେଉଛି। ଏହାର ମୁକାବିଲା ପାଇଁ ଜଙ୍ଗଲ, ଜଳଉତ୍ସ ଓ ଜୈବ ସମ୍ପଦର ସୁରକ୍ଷା ସହ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ତେଣୁ ସବୁଜ ପରିବେଶ ଗଠନ ଓ ପ୍ରଦୂଷଣମୁକ୍ତ ସମାଜ ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାମବାସୀ, ସମାଜସେବୀ ଓ ବୃକ୍ଷପ୍ରେମୀଙ୍କ ସହଯୋଗରେ ବହୁ ସଂଖ୍ୟକ ଚାରା ରୋପଣ କରାଯାଇଥିଲା। ବନ ବିଭାଗର ଏହି ପଦକ୍ଷେପ କେବଳ ପ୍ରକୃତି ଓ ପରିବେଶ ସୁରକ୍ଷା ନୁହେଁ, ବରଂ ଜଳବାୟୁ ଅନୁକୂଳ ବିକାଶ, ସାମାଜିକ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବନପାଳ ସୁଜିତ ପଟେଲ ଏବଂ ବନରକ୍ଷୀ ମିନା ଜୟପୁରିଆ, ଖିରୋଦିନୀ ରଣା, ଇନ୍ଦ୍ରାଣୀ ସ୍ୱାଇଁ, ଝିଲି କୁମାରୀ ପଟେଲ, ସୁଜାତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛି ଜମନକିରା ବନ ବିଭାଗ।

