Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡ଼ାରେ ୨ ବର୍ଷର କୁନି ପୁଅର ମୃତ୍ୟୁ, ବରିଆଳି ଗାଁରେ ଶୋକର ଛାୟା ।

ବଲାଙ୍ଗୀର,୧୩।୬: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବରିଆଳି ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଖେଳୁଥିବା ସମୟରେ ନାଗ ସାପ କାମୁଡ଼ାରେ ଜଣେ ୨ ବର୍ଷର କୁନି ପୁଅର ଅକାଳ ବିୟୋଗ ଘଟିଛି। ମୃତ ଶିଶୁଟି ହେଉଛି ଗାଁର ନରେନ୍ଦ୍ର ମାଝୀଙ୍କ ପୁଅ ଲୋକେଶ୍ଵର ମାଝୀ। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶିଶୁଟି ଘର ଭିତରେ ପରିବାର ଲୋକଙ୍କ ସହ ଖେଳୁଥିବା ସମୟରେ ହଠାତ୍ ଏକ ବିଷାକ୍ତ ନାଗ ସାପ ପ୍ରବେଶ କରିଥିଲା। ସାପଟିକୁ ଦେଖି ପରିବାର ଲୋକେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ଅଜାଣତରେ କୁନି ପୁଅ ଲୋକେଶ୍ଵର ସାପଟିକୁ ଧରିବାକୁ ଆଗକୁ ଚାଲିଯାଇଥିଲା। ଏହି ସମୟରେ ସାପଟି ଶିଶୁକୁ କାମୁଡ଼ି ଦେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
ସାପ କାମୁଡ଼ିବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ବିଳମ୍ବ ନକରି ତୁରନ୍ତ ତାକୁ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଉପସ୍ଥିତ ଡାକ୍ତର ଶିଶୁଟିକୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। କୋଳରୁ କୁନି ପୁଅ ଚାଲିଯିବା ପରେ ପରିବାରରେ କାନ୍ଦବୋବାଳି ପଡ଼ିଛି ଏବଂ ଏହି ଆକସ୍ମିକ ଆଘାତକୁ ପରିବାର ବର୍ଗ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
ଶବକୁ ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଯାଇଥିଲା। ଶନିବାର ସକାଳେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ତୁରେକେଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories