ବିକାଶ ପୁରୁଷ ସ୍ୱର୍ଗୀୟ ଆୟୁବ ଖାଁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ମୁରିବାହାଲ ଫରେଷ୍ଟ ବଙ୍ଗଳାରେ ସ୍ମୃତି ସଭା ଅନୁଷ୍ଠିତ ।
ବଲାଙ୍ଗୀର,୧୪।୬: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଜନନେତା, ବିକାଶପୁରୁଷ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାଁଙ୍କ ସ୍ମୃତିରେ ଗତ ଶୁକ୍ରବାର ଦିନ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ଫରେଷ୍ଟ ବଙ୍ଗଳା ପରିସରରେ ମୁରିବାହାଲ ବ୍ଲକ ବିଜୁ ଜନତା ଦଳ (ବିଜେଡି) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ସଭାପତି ସନ୍ୟାସି ପୁଟେଲ ସଭାପତିତ୍ୱ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗୀୟ ଆୟୁବ ଖାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାସୁମନ ଅର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ସେହି ମହାନ ପୁଣ୍ୟ ଆତ୍ମାର ସଦ୍ଗତି ନିମନ୍ତେ ଉପସ୍ଥିତ ସମସ୍ତ ଦଳୀୟ ନେତୃବୃନ୍ଦ, କର୍ମୀ ଏବଂ ସ୍ଥାନୀୟ ଜନସାଧାରଣ ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସଭାରେ ଉପସ୍ଥିତ ସମସ୍ତ ଅତିଥି ଓ ବକ୍ତା ସ୍ୱର୍ଗୀୟ ଖାନଙ୍କ କାର୍ଯ୍ୟକାଳ ସମୟର ସ୍ମୃତି ଚାରଣ କରିଥିଲେ। ଅଞ୍ଚଳର ପ୍ରଗତି ଏବଂ ବିକାଶ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟାବଳୀକୁ ମନେପକାଇ ବକ୍ତାମାନେ ତାଙ୍କର ଭୂରି-ଭୂରି ପ୍ରଶଂସା କରିଥିଲେ। ସେ ଏକ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଏବଂ ନିଜର ଜନହିତକର କାର୍ଯ୍ୟ ପାଇଁ ସେ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ହୃଦୟରେ ଚିରଦିନ ପାଇଁ ଅମର ହୋଇ ରହିବେ ବୋଲି ସଭାରେ ମତପ୍ରକାଶ ପାଇଥିଲା।
ଏହି ଭାବପୂର୍ଣ୍ଣ ସ୍ମୃତି ସଭାରେ ଡଃ. ଅମଜାଦ ଖାଁଙ୍କ ସମେତ ପୂର୍ବତନ ବ୍ଲକ ବିଜେଡି ସଭାପତି ସିଦ୍ଧେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ଶେଷଦେବ ସା, ବରିଷ୍ଠ ବିଜେଡି ନେତା ଅଶୋକ ପଟ୍ଟନାୟକ, ଲୋକନାଥ ସାହୁ ଓ ଟିକେମନ ମାଝୀ, ଯୁବ ଆଦିବାସୀ ନେତା ନିର୍ମଳ ଯାନୀ, ନେତୃବୃନ୍ଦ ଯଥା- ଅନ୍ତରାମ ପୁଟେଲ, ବାଲକୃଷ୍ଣ ବଘାର, ଭାଗରଥି ସାହୁ, କ୍ଷେତ୍ର ପୁଟେଲ, ସୋସିଆଲ ମେଡ଼ିଆ ସଂଯୋଜକ କୈଳାସ ସାହୁ, ଯୁବରାଜ ଗହୀର, ପରମାନନ୍ଦ ଘିବେଲା, ଗୋବର୍ଦ୍ଧନ ବାଗ, ପବିତ୍ର ସାହୁ, ଶୋଭା ରାମ ପୁଟେଲ, ଦ୍ୱିତୀକୃଷ୍ଣ ଘିବେଲା, ସୁଭାଷ ଛୁରା ଏବଂ ଦେବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହିତ ସ୍ୱର୍ଗୀୟ ଆୟୁବ ଖାଁଙ୍କ ବିପୁଳ ସଂଖ୍ୟକ ସମର୍ଥକ, ଶୁଭେଚ୍ଛୁ ଓ ସ୍ନେହୀ ଶ୍ରଦ୍ଧାଳୁ ସଭାରେ ସାମିଲ ହୋଇ ପ୍ରିୟ ନେତାଙ୍କ ପ୍ରତି ନିଜର ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

