ଟିଟିଲାଗଡ଼ରେ ସୁପାରି କିଲରଙ୍କ ଆତଙ୍କ: ଜମି ବିବାଦକୁ ନେଇ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ ?
ବଲାଙ୍ଗୀର,୧୫।୫: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ପୁଣି ସାମ୍ନାକୁ ଆସିଛି ସୁପାରି କିଲରଙ୍କ ବର୍ବରତା। ଜମି କିଣାବିକା ଓ କ୍ରସର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି। ଟିଟିଲାଗଡ଼ର ଏକ ପେଟ୍ରୋଲ ପମ୍ପ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଅତି ନିର୍ମମ ଭାବେ ପିଟିଛନ୍ତି, ଯାହାଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ଟିଟିଲାଗଡ଼ ଭଳି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀରେ ଦିନଦ୍ୱିପ୍ରହରରେ ଏଭଳି ସୁପାରି ଦେଇ ହତ୍ୟା ଉଦ୍ୟମ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି କରିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଏକ କ୍ରସର ସମ୍ବନ୍ଧୀୟ ଜମି କ୍ରୟକୁ ନେଇ ଏହି ବିବାଦ ସୂତ୍ରପାତ ହୋଇଥିଲା। ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲ ଯେଉଁ ଜମିଟିକୁ କିଣିଥିଲେ, ତାହାକୁ ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟ ହାତେଇବାକୁ ଚେଷ୍ଟା କରୁଥିଲେ। ଏହି ବ୍ୟବସାୟିକ ଶତ୍ରୁତା ଯୋଗୁଁ ବିରୋଧୀ ପକ୍ଷ ସୁପାରି ଦେଇ ଗୁଣ୍ଡାମାନଙ୍କ ଦ୍ୱାରା ଏହି ଆକ୍ରମଣ କରାଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି, ଟିଟିଲାଗଡ଼ ଅଞ୍ଚଳରେ ସୁପାରି ନେଇ ଆକ୍ରମଣ ବା ହତ୍ୟା କରିବା ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି।
ଏହି ସମ୍ବେଦନଶୀଳ ଘଟଣାରେ ସ୍ଥାନୀୟ ପୋଲିସର ଭୂମିକାକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ପୋଲିସ ପୀଡ଼ିତ ବ୍ୟବସାୟୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା ଏବଂ ମେଡିକାଲ ଟେଷ୍ଟ ପରେ ତାଙ୍କୁ ଥାନାକୁ ଆଣିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବଡ଼ ଜଘନ୍ୟ କାଣ୍ଡ ଘଟିଥିଲେ ସୁଦ୍ଧା ଟିଟିଲାଗଡ଼ ପୋଲିସ, ଆଇଆଇସି (IIC) କିମ୍ବା ଏସଡିପିଓ (SDPO) ଗଣମାଧ୍ୟମକୁ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଆଧିକାରିକ ମାମଲା ରୁଜୁ କରାଯାଇ ନାହିଁ। ଏପରିକି ପେଟ୍ରୋଲ ପମ୍ପରେ ଥିବା ଯେଉଁ ସିସିଟିଭି (CCTV) କ୍ୟାମେରାରେ ସମଗ୍ର ଆକ୍ରମଣର ଭିଡିଓ କଏଦ ହୋଇଛି, ତାହାକୁ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଜବତ ନକରିବା ପୋଲିସର ନିଷ୍କ୍ରିୟତା ଓ ସ୍ଥାଣୁତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଅପରପକ୍ଷରେ, ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲ ବର୍ତ୍ତମାନ ଚରମ ମାନସିକ ଚାପ ଏବଂ ଭୟ ମଧ୍ୟରେ ଗତି କରୁଛନ୍ତି। ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୁଣ୍ଡ ବୁଲାଉଥିବାରୁ ସେ ଗଣମାଧ୍ୟମ ଆଗରେ ସମ୍ପୂର୍ଣ୍ଣ ବିବରଣୀ ଦେବା ଭଳି ସ୍ଥିତିରେ ନାହାନ୍ତି। ତେବେ ନ୍ୟାୟ ପାଇଁ ସେ ପୋଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।
ପ୍ରଶ୍ନ ଉଠୁଛି କାହା ଛତ୍ରଛାୟାରେ ଟିଟିଲାଗଡ଼ରେ ସୁପାରି କିଲରମାନେ ଏଭଳି ବେପରୁଆ କାଣ୍ଡ ଘଟାଉଛନ୍ତି? କାହିଁକି ପୋଲିସ ସିସିଟିଭି ଫୁଟେଜ୍ ଜବତ କରି ଅପରାଧୀଙ୍କୁ ଗିରଫ କରିବାରେ ବିଳମ୍ବ କରୁଛି?

