ଟିଟଲାଗଡ଼ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର ଅଭିଯୁକ୍ତ ସନ୍ତୋଷ ରଣା ସମେତ ୨ ଗିରଫ ।
ବଲାଙ୍ଗୀର,୧୫।୬: ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏହି ମାମଲାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ ରଣା ଓ ଶୁଭମ ରଣା। ତେବେ ଗିରଫ ଅଭିଯୁକ୍ତ ସନ୍ତୋଷ ରଣାର ଅପରାଧିକ ପୃଷ୍ଠଭୂମି ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଜମିଜମା ବିବାଦ ଏବଂ ବେଆଇନ ଭାବେ ଦାଦାବଟି (Extortion) ମାଗିବାକୁ କେନ୍ଦ୍ର କରି ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ଗଭୀରତାର ସହ ନେଇ ଟିଟଲାଗଡ଼ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା ଏବଂ ଶେଷରେ ଘଟଣାରେ ସଂପୃକ୍ତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଶୁଭମ ଓ ସନ୍ତୋଷକୁ ଗିରଫ କରିବାରେ ସଫଳ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ସନ୍ତୋଷ ରଣା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ବହୁଚର୍ଚ୍ଚିତ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ୱାମୀ ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ସଂପୃକ୍ତ ଥିଲା। ଏହି ହତ୍ୟାକାଣ୍ଡରେ ସେ ଦୋଷୀ ସାବ୍ୟସ୍ତ ହୋଇ ପ୍ରାୟ ୧୧ ରୁ ୧୨ ବର୍ଷ ଜେଲ୍ ଦଣ୍ଡ ଭୋଗି ସାରିଛି। ନିକଟରେ ମାନ୍ୟବର ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ବଳରେ ସେ ଜେଲ୍ରୁ ବାହାରକୁ ଆସିଥିଲା।
ତେବେ ଜେଲ୍ରୁ ବାହାରିବା ପରେ ମଧ୍ୟ ସନ୍ତୋଷ ନିଜର ଅପରାଧିକ କାର୍ଯ୍ୟକଳାପ ବନ୍ଦ କରିନଥିଲା। ସେ ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ଏକ ସକ୍ରିୟ କ୍ରାଇମ ସିଣ୍ଡିକେଟ୍ ବା ଅପରାଧିକ ନେଟୱର୍କ ଗଢ଼ି ଏଭଳି ବେଆଇନ ଦାଦାବଟି ଏବଂ ଆକ୍ରମଣ ଭଳି କାଣ୍ଡ ଭିଆଉଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ଏହି ଅପରାଧିକ ସିଣ୍ଡିକେଟ୍ର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ଆଉ କେଉଁ କେଉଁ ସଦସ୍ୟ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।

