Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରହାକୁ ବଞ୍ଚାଇବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ; ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ।

ବଲାଙ୍ଗୀର,୧୫।୧୦: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ବାନ୍ଧୁପଲା ଗାଁ ମୁଣ୍ଡ ବ୍ରିଜ୍‌ ନିକଟ ବୁଲାଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଜମିକୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଗାଡ଼ିରେ ଥିବା ସମସ୍ତ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଟିକ୍ରାପଡ଼ା ଅଞ୍ଚଳରୁ ଜଣେ ରୋଗୀଙ୍କର ଝାଡ଼ାବାନ୍ତି ସମସ୍ୟା ଥିବା ନେଇ ଖବର ପାଇ ଓଡ଼ି ୦୨ ସିଏଲ୍ ୯୬୩୦ ନମ୍ବର ବିଶିଷ୍ଟ ୧୦୮ ଆମ୍ବୁଲାନ୍ସ ଗାଡ଼ିଟି ଗତକାଲି ରାତି ପ୍ରାୟ ୨:୦୦ ରୁ ୨:୩୦ ମଧ୍ୟରେ ଟିକ୍ରାପଡ଼ା ପଟୁ ବାନ୍ଧୁପଲା ଗାଁକୁ ରୋଗୀ ଆଣିବା ପାଇଁ ଯାଉଥିଲା।
ସେହି ସମୟରେ ବାନ୍ଧୁପଲା ଗାଁ ମୁଣ୍ଡ ବ୍ରିଜ୍ ବୁଲାଣି ଠାରେ ହଠାତ୍ ଆମ୍ବୁଲାନ୍ସ ସାମ୍ନାକୁ ୬ ରୁ ୭ ଟିକିଆ ଜଙ୍ଗଲୀ ବାରହା ଦଳ ଚାଲିଆସିଥିଲେ। ଗାଡ଼ିର ଡ୍ରାଇଭର କୃଷ୍ଣଚନ୍ଦ୍ର ମାଝୀ (୩୫) ବାରହା ମାନଙ୍କୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ମାରିବାରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଜମିକୁ ଓଲଟି ପଡ଼ିଥିଲା ବୋଲି ଡ୍ରାଇଭର କୃଷ୍ଣଚନ୍ଦ୍ର ନିଜେ ସୂଚନା ଦେଇଛନ୍ତି।
ଦୁର୍ଘଟଣା ସମୟରେ ଗାଡ଼ିରେ ଡ୍ରାଇଭର କୃଷ୍ଣଚନ୍ଦ୍ରଙ୍କ ସମେତ ଆଟେଣ୍ଡାଣ୍ଟ ରଥି ପାଣ୍ଡେ ଏବଂ ଇ.ଏମ୍.ଟି. (EMT) ଆକାଶ ପ୍ରଧାନୀ ଉପସ୍ଥିତ ଥିଲେ। ଭାଗ୍ୟବଶତଃ ଏହି ବଡ଼ଧରଣର ଦୁର୍ଘଟଣାରେ କୌଣସି ଜୀବନହାନି କିମ୍ବା ବଡ଼ଧରଣର ଆଘାତ ଲାଗି ନଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଡ୍ରାଇଭର କୃଷ୍ଣଚନ୍ଦ୍ର ତୁରନ୍ତ ଘଟଣା ସମ୍ପର୍କରେ ନିଜର ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories