Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀର ଫେରିବା ବାଟକୁ ଚାହିଁ ବସିଛି ପତ୍ନୀ; ପୁଅକୁ ଫେରାଇ ଆଣିବାପାଇଁ ବାପା ମା’ ଙ୍କ ଆକୁଳ ନିବେଦନ

ଯାଜପୁର: ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଗରବନ୍ଧ ଗ୍ରାମର ବନମାଳୀ ମଲ୍ଲିକଙ୍କ ବଡ଼ ପୁଅ ହରିଶ୍ଚନ୍ଦ୍ର ମଲ୍ଲିକ (30 ବର୍ଷ) ଗତ କିଛିଦିନ ହେବ ଭୁବନେଶ୍ୱରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲା। ଗତ ମେଁ ମାସ 30 ତାରିଖ ଦିନ ହରିଶ୍ଚନ୍ଦ୍ର ଫୋନ ଯୋଗେ ନିଜର ଦେହ ଭଲ ନାହିଁ, ମୁଁ ପୁରୀ ଯାଉଛି ଠାକୁର ଦର୍ଶନ କରିବା ପାଇଁ, ଆଉ ତୁ ବାପା ମା’ ସମସ୍ତଙ୍କୁ ସାଙ୍ଗରେ ନେଇ ପୁରୀ ଆସିବୁ ବୋଲି ସ୍ତ୍ରୀ ମନ୍ଦଦରୀକୁ କହିଥିଲା। ଏଥି ସହ ପୁରୀ ବସଷ୍ଟାଣ୍ଡ, ରଥଖଳା ଓ ସିଂହଦ୍ୱାର ନିକଟ ଏହି ତିନୋଟି ଯାଗା ମଧ୍ୟରେ ଯେଉଁଠି ହେଲେ ମୁଁ ତୁମକୁ ଅପେକ୍ଷା କରିଥିବି ବୋଲି ଜଣାଇଥିଲା। ପୁନର୍ବାର ରାତି ଦୁଇଟା ସମୟରେ ତମେମାନେ ସବୁ ଆସୁଛକି ନାହିଁ ବୋଲି ଫୋନ କରି ସ୍ତ୍ରୀ ମନ୍ଦଦରୀକୁ ପଚାରିଥିଲା। ଘରେ ଧାନ ଅମଳ ଚାଲିଥିବାରୁ ବାପା ମା’ ଯାଇପାରିବେ ନାହିଁ ବୋଲି ମନାକରିବା ସହ ସ୍ତ୍ରୀ ମନ୍ଦଦରୀ ସ୍ୱାମୀର ଫୋନ ପାଇ ପରଦିନ ସକାଳୁ ସାଙ୍ଗରେ ୪ ବର୍ଷର ପୁଅ ଇନ୍ଦ୍ରଜିତ ଓ ୧ ବର୍ଷର ଝିଅ ଖୁସିକୁ ସାଙ୍ଗରେ ଧରି ପୁରୀ ଯାଇଥିଲେ। ପୁରୀରେ ପହଞ୍ଚି ସ୍ୱାମୀ ହରିଶ୍ଚନ୍ଦ୍ରଙ୍କୁ ସ୍ତ୍ରୀ ମନ୍ଦଦରୀ ଫୋନ କରିଥିବା ବେଳେ ସ୍ୱାମୀଙ୍କର ଫୋନ ଆଉ ଲାଗିନଥିଲା। ପରେ ସ୍ତ୍ରୀ ମନ୍ଦଦରୀ ସ୍ୱାମୀଙ୍କ କହିବା ଅନୁଯାୟୀ ପୁରୀ ବସ ଷ୍ଟାଣ୍ଡ, ରଥଖଳା ଓ ସିଂହଦ୍ୱାର ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ ସ୍ୱାମୀଙ୍କର କୌଣସି ପତ୍ତା ପାଇନଥିଲେ।

ଏହାପରେ ସ୍ତ୍ରୀ ସିଂହଦ୍ୱାର ଥାନାରେ ଯାଇ ସ୍ୱାମୀର ନିଖୋଜ ସମ୍ପର୍କରେ ଜଣାଇଥିବା ବେଳେ ରାତି ଅଧିକ ହୋଇଯାଇଥିବାରୁ ସ୍ତ୍ରୀକୁ ସିଂହଦ୍ୱାର ଥାନାରେ ଅଟକାଇ ରଖିଥିଲେ। ଏହାପରେ ମନ୍ଦଦରୀ ଶଶୁରଙ୍କ ପାଖକୁ ଫୋନ କରି ପୁରୀ ଆସିବା ପାଇଁ କହିଥିଲେ। ୨ ତାରିଖ ଦିନ ଶଶୁର ବନମାଳୀ ପୁରୀରେ ପହଞ୍ଚି ସିଂହଦ୍ୱାର ଥାନାରେ ପୁଅର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ହରିଶ୍ଚନ୍ଦ୍ରର କୌଣସି ସନ୍ଧାନ ପାଇନଥିଲେ। ଶେଷରେ ନିରାଶ ହୋଇ ଶଶୁର ବୋହୁ ଘରକୁ ଫେରି ଆସିଥିଲେ। ପୁରୀରୁ ଫେରି ନିଖୋଜ ହରିଶ୍ଚନ୍ଦ୍ରର ବାପା ବନମାଳୀ ପୁନର୍ବାର ମଙ୍ଗଳପୁର ଥାନାରେ ପୁଅର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ସ୍ୱାମୀର ନିଖୋଜ ପରେ ସ୍ତ୍ରୀ ମନ୍ଦଦରୀ, ୪ ବର୍ଷର ପୁଅ ଓ ୧ ବର୍ଷର ଝିଅକୁ ନେଇ ଭାଙ୍ଗି ପଡ଼ିଥିବା ବେଳେ ଘରେ କାନ୍ଦ ବୋବାଳିରେ ଦିନ ବିତୁଛି। ଅପର ପକ୍ଷେ ବାପା ମା’ ଆଖିରୁ ଲୁହ ଗଡ଼ାଇ ପୁଅର ଫେରିବା ବାଟକୁ ଚାତକ ପରି ଚାହିଁ ବସିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ