ସରକାରଙ୍କ ନୀତି ନିୟମ ମାନୁନାହାଁନ୍ତି ଜଳଖିଆ ଦୋକାନୀ ଓ ହୋଟେଲ ମାଲିକ| ସମସ୍ତ ନୀତି ନିୟମକୁ ଉଲଂଘନ କରି ବେଫିକର ଭାବେ ଜଳଖିଆ ଦୋକାନୀ ଓ ହୋଟେଲ ମାଲିକ ମାନେ ସେମାନଙ୍କର ବେପାର କରିଆସୁଛନ୍ତି| ରଙ୍ଗମିଶା ଖାଦ୍ୟ ସାଙ୍ଗକୁ ହୋଟେଲ ଓ ଜଳଖିଆ ଦୋକାନରେ ଖାଦ୍ୟ ଗୁଡିକ ଖୋଲାରେ ରହୁଥିବା ବେଳେ ଖାଦ୍ୟରେ ମଶା ମାଛି ବସୁଥିବାରୁ ଜନସାଧାରଣ ବିଭିନ୍ନ ରୋଗର ଶିକାର ହେଉଛନ୍ତି| ଏଥିନେଇ ଜିଲ୍ଲା ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ ନିୟମିତ ଚଢ଼ାଉ ହେଉନଥିବାରୁ ଜଳଖିଆ ଦୋକାନୀ ଏବଂ ହୋଟେଲ ମାଲିକ ମାନେ ଖୁଲମ ଖୁଲା ସେମାନଙ୍କର ବେପାର କରୁଥିବା ଦେଖିବାକୁ ମିଳିଛି| ଏମିତି ଦୃଶ୍ୟ ସାମ୍ନାକୁ ଆସୁଛି ସାରା ଦଶରଥପୁର ବ୍ଲକରେ ଥିବା ଜଳଖିଆ ଦୋକାନ ଓ ହୋଟେଲ ମାନଙ୍କରେ| ଏହିଭଳି ଖାଦ୍ୟ ଖାଇ ଜନସାଧାରଣ ଝାଡାବାନ୍ତି, ଡ଼ାଇରିଆ, ଗ୍ୟାଷ୍ଟିକ ଏବଂ ଲିଭର ସମସ୍ୟା ଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି| ପ୍ରଶାସନ ସବୁଜାଣି ମଧ୍ୟ କୌଣସି ଆଖିଦୁର୍ଷିଆ ପଦକ୍ଷେପ ନେଉନଥିବାରୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି| ସେହିପରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ରୋଷେଇ ଘରଗୁଡିକ ଅପରିଷ୍କାର ରହିବା ହେତୁ ଉକ୍ତ ଖାଦ୍ୟ ଖାଇ ବେମାର ସୃଷ୍ଟି ହେଉଛି| ହୋଟେଲ ଗୁଡିକରେ ବଳକା ଖାଦ୍ୟକୁ ଫ୍ରିଜରେ ରଖି ପରଦିନ ସେହି ବାସିଖାଦ୍ୟକୁ ଲୋକମାନଙ୍କୁ ଖାଇବାକୁ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି| ଜିଲ୍ଲା ପ୍ରଶାସନ ଏଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ମାସିକିଆ ବଟିନେଇ ଚୁପ ବସୁଥିବା ଚର୍ଚ୍ଚା ଧରିଛି| ରାଜ୍ୟ ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ ବଜାରରେ ବିକ୍ରି କରାଯାଉଥିବା ଜଳଖିଆ ଏବଂ ମିଠା ଗୁଡିକର ମାନ ଯାଞ୍ଚ କରାଯିବା ସହ ସମ୍ପୃକ୍ତ ଦୋକାନ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି|