ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଆଜି ପିଇଓ ମାନଙ୍କ କଲମ ଛାଡ଼ ଆନ୍ଦୋଳନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି| ପୋଲିସ ଓ ଜିଲ୍ଲା ପ୍ରଶାସନ ଉପରେ ସରକାରୀ କର୍ମଚାରୀ ମାନଙ୍କର ସତେ ଯେମିତି ଭରସା ତୁଟିଯାଇଛି| ଅଭିଯୋଗର 24 ଘଣ୍ଟା ପୁରୁଣୁ ବ୍ଲକ କାର୍ଯ୍ୟାଳୟରେ ପିଇଓ ଏବଂ ଅନ୍ୟ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି| ସାଧାରଣ ଜନତାଙ୍କ ପ୍ରତିବାଦର ସ୍ୱରକୁ ଚାପି ଦେବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ଚର୍ଚ୍ଚା ଧରିଛି| ପ୍ରକାଶ ଥାଉ କି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଥା ଥାନା ଅନ୍ତର୍ଗତ ଗ୍ରାମନନ୍ଦିପୁର ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀ ପ୍ରଶାନ୍ତ ମିଶ୍ରଙ୍କୁ ଗତକାଲି ମିର୍ଜାପୁର ଗ୍ରାମର ୩ ଜଣ ବ୍ୟକ୍ତି ଗାଳିଗୁଲଜ କରିବା ସହ ମରଣତ୍ମକ ଆକ୍ରମଣର ଉଦ୍ୟମ କରି କିଛି ଟଙ୍କା ଛଡାଇ ନେଇଥିଲେ| ଏ ନେଇ ଗତ କାଲି ସନ୍ଧ୍ୟାରେ ଦଶରଥପୁର ଥାନାରେ ଅଭିଯୋଗ କରିଥିଲେ ଶ୍ରୀ ମିଶ୍ର| ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଭୋରୁ ଆଇଆଇସି ବଦ୍ରିକାନ୍ତ ବେହେରା, ଏସଆଇ ପାର୍ବତୀ ମଲିକ ସଦଳବଳେ ଖୋଜାଖୋଜି କରି ପ୍ରଶାନ୍ତ ମହାନ୍ତି ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ| ତଥାପି ବ୍ଲକର ପିଇଓ ଓ ଅନ୍ୟାନ୍ୟ କର୍ମଚାରୀ ମାନେ କଲମଛାଡ଼ ଆନ୍ଦୋଳନ କରିବା କେତେଦୂର ଯୁକ୍ତିଯୁକ୍ତ? ସୂଚନା ଯୋଗ୍ୟ ଦଶରଥପୁର ବ୍ଲକର ସମସ୍ତ 35ଟି ପଂଚାୟତରେ ଆବାସ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଜନଅସନ୍ତୋଷ ଦେଖିବାକୁ ମିଳୁଛି| ତେବେ ଏଭଳି ଅସନ୍ତୋଷକୁ ନେଇ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଏହା ଏକ ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି|