Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ରେ ରାସ୍ତା ପାଇଁ ରାସ୍ତା ରୋକ ; ଲିଖିତ ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ଜନଜୀବନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉନ୍ନୟନ କ୍ରୀୟାନୁଷ୍ଠାନ କମିଟୀର ଆହ୍ବାନରେ ପୂର୍ତ୍ତ ବିଭାଗ ରାସ୍ତା ସୁବଳୟା ଗ୍ରାମ ଦେଇ କରାଯିବା ଦାବୀରେ ଗୁରୁବାର ଦିଆଯାଇଥିଲା ୧୨ ଘଣ୍ଟିଆ ସୁବଳୟା ବନ୍ଦ ଡାକରା।ଏହା ସହିତ ଟ୍ରିକ୍ରାପଡା ସୁରବାଲି ଯୋର ବ୍ରିଜ ଓ ଗୋବିନ୍ଦପୁର ଛକ ଠାରା ରାସ୍ତାରୋକ କରାଯାଇଥିଲା। ମାତ୍ର ପୂର୍ତ୍ତ ବିଭାଗ ପକ୍ଷରୁ ଲିଖିତ ପ୍ରତିଶୃତି ପରେ ପୂର୍ବାହ୍ନ ୧୧.୩୦ଘଣ୍ଟା ସମୟରେ ରାସ୍ତା ରୋକ ହଟିବା ସହିତ ସୁବଳୟl ବନ୍ଦ ପ୍ରତ୍ୟାହାର ହୋଇଥିଲା । ଫଳରେ ରାସ୍ତା ରେ ଗାଡିମଟର ଚଳାଚଳ ସ୍ବଭାବିକ ହେବା ସହିତ ଦୋକନ ବଜାର ପୁଣି ଖୋଲି ଥିଲା । ସୁଚନାମତେ ସୁବର୍ଣ୍ଣପୁର ଜିଲ୍ଲାର ଧର୍ମଶାଳା ଠାରୁ ଗରିଆମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଏବେ ଉକ୍ତ ରାସ୍ତାର ସଂପ୍ରସାରଣ ସହିତ ଉନ୍ନତିକରଣ ପାଇଁ ଚୁଡାନ୍ତ ହୋଇଥିବା ବେଳେ ଏହା କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଛି । କାର୍ଯ୍ୟାଦେଶରେ ଉକ୍ତ ରାସ୍ତା ଧର୍ମଶାଳା ଭାୟା ସୁବଳୟା ଦେଇ ଗରିଆମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ଓ ସଂପ୍ରସାରଣ ପାଇଁ ସ୍ପଷ୍ଠ ଭାବରେ ନିର୍ଦ୍ଦେଶ ରହିଛି।ମାତ୍ର ପୂର୍ତ୍ତ ବିଭାଗର ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଏହି ରାସ୍ତା କୁ ଗୋବିନ୍ଦପୁର ଗ୍ରାମ ଦେଇ କରାଯିବ ବୋଲି କହିଥିଲେ ।

ଗୋବିନ୍ଦପୁର ଦେଇ ରାସ୍ତା ଗଲେ ସୁବଳୟା ଦେଇ ରାସ୍ତା କାମ କରାଯିବ ନାହିଁ । ସୁବଳୟା ବୀରମହାରାଜପୁର ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଅଟେ । ଏଠାକୁ ସୁବର୍ଣ୍ଣପୁର ସମେତ ସମ୍ବଲପୁର , ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ର ଲୋକେ ବ୍ୟବସାୟ ପାଇଁ ପ୍ରତ୍ୟହ ସୁବଳୟା ଉପରେ ନିର୍ଭର କରିଥାନ୍ତି । ଏହା ସହିତ ସ୍କୁଲ ଓ କଲେଜ କୁ ଅନେକ ଛାତ୍ରଛାତ୍ରୀ ସୁବଳୟା ପାଠ ପଢିବା ପାଇଁ ଆସିଥାନ୍ତି । ସୁବଳୟା ଦେଇ ରାସ୍ତା ନ ହେଲେ ସାଧାରଣ ଲୋକ ଓ ଛାତ୍ର ଛାତ୍ରୀ ବହୁତ ହଇରାଣ ହେବେ । ଏଣୁ ସୁବଳୟା ଦେଇ ରାସ୍ତା କରାଯିବାକୁ ଅଂଚଳର ଲୋକେ ଦାବୀ କରିଥିଲେ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ତେଣୁ ଏନେଇ ଗତ ସୋମବାର ଦିନ ସୁବଳୟା , କେଲଗାଁ , ସାଲେପଦର , ଟ୍ରିକ୍ରାପଡା, ନୂଆଁପଡା ଅଦି ଗ୍ରାମର ଲୋକଙ୍କୁ ନେଇ ସୁବଳୟା ଉନ୍ନୟନ କ୍ରୀୟାନୁଷ୍ଠାନ କମିଟୀ ଗଠନ କରାଯାଇ ଗୁରୁବାର ଦିନ ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଥିଲା । ଗୁରୁବାର ସକାଳୁ ସୁବଳୟା ର ସମସ୍ତ ଦୋକାନ ବନ୍ଦ କରା ଯିବା ସହିତ ଟିକ୍ରାପଡା ସୁରବାଲି ଯୋର ବ୍ରିଜ ଛକ ଓ ଗୋବିନ୍ଦପୁର ଛକ ରେ ରାସ୍ତା ରୋକ କରାଯାଇଥିଲା ।

ରାସ୍ତା ରୋକ ଓ ବନ୍ଦ ପାଳନ ସମୟରେ ସୁବଳୟା ର ଗ୍ରାମବାସୀ ସମେତ ବିଭିନ୍ନ କ୍ଲବ , ବଜରଙ୍ଗ ଦଳ , ପିତାମହୁଲ , ଆମ୍ବସରଭଟା , ସଂଗ୍ରାମପୁର ଆଦି ଗ୍ରାମର ଲୋକେ ସାମିଲ ହୋଇ ସହଯୋଗ କରିଥିଲେ । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର , ସମିତିସଭ୍ୟା ଲିଲି ମେହେର , ଚମ୍ପାମାଳ ସମିତିସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ , କମିରା ସରପଞ୍ଚ ଅନୁସୟା ପଧାନ , ପିତାମହୁଲ ସରପଞ୍ଚ ଆକଶ୍ମିତା ବଢିଆ , ହୃଶିକେଶ ମେହେର , ଅଶୋକ ଦାଶ , ସପନ ପଧାନ , ଯଦୁମଣି ମେହେର , ମଙ୍ଗୁଳୁ ରଣା , ସଦାନନ୍ଦ ମହାନନ୍ଦ , ସଞ୍ଜିବ ମେହେର , ଭାଜପା ମଣ୍ଡଳ ସଭାପତି ଶରତ ମିଶ୍ର , ଧମ୍ବରୁଧର ମେହେର , ଜୟାନନ୍ଦ ରଥ ଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ରାସ୍ତାରୋକ ରେ ସାମିଲ ଥିବା ବେଳେ ବନ୍ଦ ପାଳନରେ ମଧ୍ୟ ସାମିଲ ଥିଲେ । ରାସ୍ତାରୋକ ସହିତ ବନ୍ଦ ପାଳନ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଏକଜୁକେଟିଭ ମାଜିଷ୍ଟ୍ରେଟ ଦାୟୀତ୍ବରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା , ବୀରମହାରାଜପୁର ଉପଖଣ୍ଡିୟ ପୋଲିସ ଅଧିକାରୀ ଡୋଳାମଣି ଭୋଇ , ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ସହିତ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ ଘଟଣା ସ୍ଥଳକୁ ଆସି ଅନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀ ସୁବଳୟା ଦେଇ ରାସ୍ତା କରିବାକୁ ଅଡି ବସିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡିମଟର ଅଟକି ରହିଥିଲା। ପରେ ଉକ୍ତ ରାସ୍ତା ସୁବଳୟା ଦେଇ କରାଯିବ ବୋଲି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ୍ୟ ଲିଖିତ ପ୍ରତିଶୃତି ଦେବା ପରେ ପୂର୍ବାହ୍ନ ୧୧.୩୦ଘଣ୍ଟା ସମୟରେ ରାସ୍ତାରୋକ ହଟିବା ସହିତ ସୁବଳୟା ବନ୍ଦ ପାଳନ ପ୍ରତ୍ୟାହାର ହୋଇଥିଲା । ଫଳରେ ରାସ୍ତା ରେ ଗାଡି ମଟର ଚଳାଚଳ ସ୍ବଭାବିକ ହେବା ସହିତ ଦୋକାନ ବଜାର ଖୋଲି ଜନଜୀବନ ଚଳଚଞ୍ଚଳ ହୋଇଥିଲା। ଉକ୍ତ ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା।