ମଙ୍ଗଳପୁରରେ କାଉଡିଆଙ୍କ ଭିଡ଼:ଚିନ୍ତା ବଢ଼ାଉଛି ମ୍ୟୁଜିକ ଗାଡି


ଆରମ୍ଭ ହୋଇଛି ଶ୍ରାବଣ ମାସର କାଉଡିଆ ଯାତ୍ରା| ମନୋସ୍କାମନା ପୂର୍ଣ୍ଣ ଲାଗି ଦେବ ଦେବ ମହାଦେବଙ୍କୁ ଜଳ ଢାଳି ଭକ୍ତିପୂତ ଅର୍ଘ୍ୟ ପ୍ରଦାନ କରିବେ ଶୈବ ଭକ୍ତ ଗଣ| ତେବେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତଥା ମଙ୍ଗଳପୁର ବଜାରରେ ରବିବାର ଦିନ ଦେଖିବାକୁ ମିଳିଛି କାଉଡିଆଙ୍କ ପ୍ରବଳ ଭିଡ଼| ମଙ୍ଗଳପୁର ବଜାରଟି ଏକ ଚଳଚଞ୍ଚଳ ବଜାର ଭାବେ ଜଣା ଥିବା ବେଳେ ରବିବାର ଥାଏ ଏହାର ପରିବା ହାଟ| ଏଥି ସହିତ ଶ୍ରାବଣ ମାସର ସୋମବାର ଭଦ୍ରକ ସ୍ଥିତ ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠରେ ପାଣି ଢ଼ାଳିବା ଲାଗି କାଉଡିଆଙ୍କ ଯାତାୟତ ଲାଗି ମଙ୍ଗଳପୁର ବଜାର ହିଁ ମାଧ୍ୟମ ସାଜିଥାଏ| ପ୍ରକାଶ ଥାଉ କି ଯାଜପୁର ଦଶାଶ୍ୱମେଧ ଘାଟ ଏବଂ ବିଂଝାରପୁର ବରୁଣେଶ୍ୱର ନିକଟରୁ ପାଣି ଉଠାଉ ଥିବା କାଉଡିଆ ଉଭୟ ପକ୍ଷଙ୍କ ଲାଗି ଆରଡ଼ି ଯାତାୟତ ନିମିତ୍ତ ମଧ୍ଯସ୍ଥଳ ହେଉଛି ମଙ୍ଗଳପୁର ବଜାର| ତେବେ ପ୍ରତି ବର୍ଷ ଶ୍ରାବଣ ମାସର ସୋମବାର ପୂର୍ବ ରବିବାର ଦିନ ହଜାର ହଜାର କାଉଡିଆଙ୍କ ଭିଡ଼ ପରିଲକ୍ଷିତ ହୁଏ ଏହି ବଜାରରେ| ଭିଡ଼ ସାଙ୍ଗକୁ ମ୍ୟୁଜିକ ପ୍ରସେସନ ଭଳି ଗାଡି ଆଦି ଚିନ୍ତା ବଢ଼ାଇଥାଏ| ସାଧାରଣ ଜନଜୀବନ ତଥା ଆମ୍ବୁଲାନ୍ସ କିମ୍ବା ଦମକଳ ଆଦି ଯାତାୟାତ ଲାଗି ବହୁ ବାଧାବିଘ୍ନ ସୃଷ୍ଟି ହୋଇଥାଏ| ଚଳିତ ବର୍ଷ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିବାରୁ ମଙ୍ଗଳପୁର ପୋଲିସ ପକ୍ଷରୁ ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ| ତେବେ କାଉଡିଆ ଯାତ୍ରା ପ୍ରାରମ୍ଭରେ ଯେଉଁ ଭଳି ଭିଡ଼ ଦେଖିବାକୁ ମିଳିଛି ସେହିପରି ଆଗାମୀ ସପ୍ତାହ ମାନଙ୍କରେ ମଧ୍ୟ ଆହୁରି ଭିଡ଼ ବଢିବ ନିଶ୍ଚୟ| ତେବେ କାହାରି ଧର୍ମୀୟ ଭାବନାକୁ ଆଘାତ ନ ଦେଇ ଭିଡ଼ ନିୟନ୍ତ୍ରଣରେ ମଙ୍ଗଳପୁର ପୋଲିସ ପଦକ୍ଷେପ ଜାରି ରଖିବ ବୋଲି ଆଶାୟୀ ଅଞ୍ଚଳବାସୀ|