Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ ଯବାନ ଟ୍ରକ ତଳେ ଚାପି ହୋଇ ମୃତ୍ୟୁ

ଜମନକିରା : ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା ଦେଇ ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଏବଂ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ ଅନୁଷ୍ଠାନରେ ମଧ୍ୟ କାର୍ଯ୍ୟ କରିଥିଲେ। ଜମନକିରା ରାଧାକୃଷ୍ଣପଡ଼ାର ବିରେନ୍ଦ୍ର ନାଥ କାରୱାର ହେଲେ କିଏ ଜାଣି ଥିଲା ଅନେକ ଯୁଦ୍ଧରେ ସାମିଲ ହୋଇ ବିଜେତା ହୋଇ ଫେରିଥିବା ସୈନିକ ଆଜି ଏକ ଟ୍ରକ ସାମ୍ନାରେ ପରାଜିତ ହୋଇଯିବେ ବୋଲି। ଟ୍ରକ ତଳେ ଚାପି ହୋଇ ତାଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ମୁତାବକ ଆଜି ୫୩ ନମ୍ବର ଜାତୀୟ ରାଜପଥ ଦଶଘରିଆ ଠାରେ ସକାଳ ପ୍ରାୟ ସାଢେ଼ ୯ଟା ସମୟ ପାଖାପାଖି, ଏକ ଟ୍ରକ (ଏନଏଲ ୦୧ ଏଡି ୨୪୨୪) ସମ୍ବଲପୁର ପଟୁ ଦେବଗଡ଼ ଆଡକୁ ଯାଉଥିବା ବେଳେ ଜମନକିରା ରାଧାକୃଷ୍ଣ ପଡ଼ା ନିବାସୀ ଅବସର ପ୍ରାପ୍ତ ଯବାନ ବୀରେନ୍ଦ୍ରନାଥ କାରୱାର(୮୨) ତାଙ୍କ ନିଜ ସ୍କୁଟି ରେଜିଷ୍ଟେସନ ନମ୍ବର(ଓଡ଼ି ୧୫ଏମ ୭୧୦୯)ରେ ଯାଉଥିବା ସମୟରେ ଥାନା ନିକଟସ୍ଥ ଜାତୀୟ ରାଜପଥ ୫୩ ବାଇପାସ୍ ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ବୀରେନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହେବାରୁ ଜମନକିରା ପୋଲିସ ତାଙ୍କୁ ପୋଲିସ ଗାଡ଼ିରେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିବା ସହିତ ମୃତ ବିରେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତାରିତ କରିବ ବୋଲି କହିଛି। ପ୍ରକାଶ ଥାଉକି, ଏଇ ସ୍ଵାଧୀନତା ଦିବସ ଅବସରରେ କୁଚିଣ୍ଡା ବିଧାୟକ କିଶୋର ନାଏକ ତାଙ୍କୁ ସମ୍ମାନୀତ କରିଥିଲେ।ତାଙ୍କ ସାନ ପୁଅ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ବିରେନ୍ଦ୍ରଙ୍କ ମୃତ୍ୟୁରେ ଜମନକିରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅତ୍ୟନ୍ତ ମେଲାପି ଓ ସହୃଦୟ ବ୍ୟକ୍ତି ଥିଲେ। ତାଙ୍କର ଧର୍ମପତ୍ନୀ କିଛି ବର୍ଷ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଦୁଇଟି ଝିଅ ଓ ଦୁଇଟି ପୁତ୍ର ଅଛନ୍ତି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ