ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଗୁରୁ ଦିବସ ପାଳିତ


ସମ୍ବଲପୁର: ସମ୍ବଲପୁର ବଡ଼ ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ଆଜି ପବିତ୍ର ଗୁରୁ ଦିବସ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କର ୧୩୬ ତମ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି | ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ବବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର୍ ଏବଂ ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ହରି ଶଙ୍କର ମିଶ୍ର ଯୋଗଦାନ କରିଥିଲେ |
ପ୍ରାରମ୍ଭରେ ମାଁ ସମଲେଶ୍ୱରୀ, ସ୍ୱାମୀ ବିବେକାନନ୍ଦ ଓ ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀ ମାନେ ସାମୂହିକ ଗୁରୁ ବନ୍ଦନା ଗାନ କରିଥିଲେ |
ଭାରତୀୟ ସଂସ୍କୃତିରେ ମାତା ପିତା ଏବଂ ଗୁରୁ ମାନଙ୍କୁ ଦେବୀଦେବତାଙ୍କ ଶ୍ରେଷ୍ଠ ଆସନ ଓ ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ମାନ ଦେବାର ପରମ୍ପରା ଏବଂ ମହାନ୍ ଗୁରୁ ଶିଷ୍ୟ ପରମ୍ପରା ଆବାହମାନ କାଳରୁ ରହି ଆସିଛି | ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟାଶିକ୍ଷା ସଙ୍ଗେ ସଙ୍ଗେ ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା, ସଂସ୍କୃତି ର ଶିକ୍ଷା ଓ ଚରିତ୍ର ନିର୍ମାଣ ସହ ପୂର୍ଣ୍ଣାଙ୍ଗ ବିକାଶ ହୋଇ ପାରିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବହିଦାର୍ କହିଥିଲେ | ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜୀବନ ଦର୍ଶନ ଉପରେ ସେ ଆଲୋକପାତ କରିଥିଲେ |
ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମିଶ୍ର ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ପରିଚାଳିତ ଏହି ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷୟିତ୍ରୀ ମାନଙ୍କ ଅଧ୍ୟବସାୟ ଓ ସ୍ନେହପୂର୍ଣ୍ଣ ବ୍ୟବହାରର ସେ ଭୁୟସୀ ପ୍ରଶଂସା କରିଥିଲେ। ଶିକ୍ଷୟିତ୍ରୀ ତୃପ୍ତି ମାଝୀ, ସୁଜ୍ଞାନୀ ମାହାଣା ଓ ସନ୍ତୋଷିନୀ ଦେବୀଙ୍କ ପରିଚାଳନାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏହି ଅବସରରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ମାନଙ୍କୁ ତିଳକ ଲଗାଇ, ପୁଷ୍ପଗୁଚ୍ଛ , ଉତ୍ତରୀୟ ଏବଂ ଉପହାର ଦେଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବହିଦାର୍ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ।ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ, ଅବିଭାବକ ମାନଙ୍କ ସମେତ ସହରର ବହୁ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଉପସ୍ଥିତ ଥିଲେ | ସମସ୍ତଙ୍କ ଦ୍ୱାରା ସାମୁହିକ ଜାତୀୟ ସଂଗୀତ ଗାନ ପରେ ଶିକ୍ଷୟିତ୍ରୀ ତୃପ୍ତି ମାଝି ଧନ୍ୟବାଦ ଅର୍ପଣ କରିଥିଲେ |