Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଠାରୁ ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା

ଦେବଗଡ଼: ସେପ୍ଟେମ୍ବର ୧୯ ତାରିଖରୁ ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେବ । ସେପ୍ଟେମ୍ବର ୨୯ ତାରିଖ ଦିନ ବିସର୍ଜନ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୯୪୯ ମସିହାରୁ ଆରମ୍ଭ ହୋଇଥିବା ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପଂହଚିଛି । ତେବେ ପ୍ଲାଟିନମ ଜୁବଲି ଅବସରରେ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପଂହଚିଛି । ରଙ୍ଗୀନ ଆଲୋକ ମାଳାରେ ସହର ଝଲସିବା ସହିତ ଗଣେଶ ପୂଜା ପାଇଁ ଚଳଚଂଚଳ ହୋଇପଡିଛି ସହର । ଆଜି ସଂଧ୍ୟାରେ ଗଣେଶ ମେଳାର ଆୟୋଜକ ଦେବଗଡ଼ ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ଶମ୍ଭୁନାଥ ଗୋଏଲଙ୍କ ନେତୃତ୍ୱରେ ପ୍ରଧାନପାଟ ଠାରୁ କଳସ ଯାତ୍ରା କରାଯାଇ ନଗର ପରିକ୍ରମା କରିବା ପରେ ସହରର ମଧ୍ୟରେ ପୁଜା ହେଉଥିବା ସ୍ଥାନରେ ପଂହଚି କଳସ ସ୍ଥାପନ କରାଯିବା ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କ ବିଗ୍ରହକୁ ନେଇ ପୂଜା ହେଉଥିବା ସ୍ଥାନରେ ଭକ୍ତମାନେ ରଖିଥିଲେ ।ପୂଜା ଅବସରରେ ମୀନାବଜାର, ଦୋଳି ଏବଂ ପ୍ରତ୍ୟହ ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଭଜନସଂଧ୍ୟା, ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନପାଟସ୍ଥିତ ବଡବଗିଚା‌ଠାରେ ଟିକେଟ ସୋ ଅପେରା ଏବଂ ପ୍ରଧାନପାଟ ରୋଡର ପୁରୁଣା ପେଟ୍ରୋଲପମ୍ଫ ଠାରେ ଫ୍ରିସୋ ଅପେରାର ଦର୍ଶକ ମାନେ ମଧ୍ୟ ମଜା ଉଠାଇପାରିବେ । ପୂଜା କମିଟୀ ପକ୍ଷରୁ ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଲଟେରୀ ମାଧ୍ୟମରେ ଶ୍ରୀ ଗଣେଶ ଆଶିର୍ବାଦ ଲଡୁ ଉଠାଣ କରାଯିବ ଏବଂ ସେପ୍ଟେମ୍ବର ୩୦ ତାରିଖ ଦିନ ଭାଗ୍ୟଶାଳୀ ବିଜେତାଙ୍କର ନାମ ଘୋଷଣା କରାଯିବ ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି ।