ସମ୍ବଲପୁର ଫୁଟବଲ୍ ଏକାଡେମୀ ରେ “ଫିଫା ଫୁଟବଲ୍ ଫର୍ ସ୍କୁଲ” ର ଦ୍ଵି-ଦିବସୀୟ କର୍ମଶାଳା।


ସମ୍ବଲପୁର-୦୩/୧୦ (ରମାକାନ୍ତ ବିଶ୍ବାଳ) ବିଦ୍ୟାଳୟ ସ୍ତରରେ ଫୁଟବଲ୍ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫୁଟବଲ୍ ଆସୋସିଏସନ୍ ର ଅନ୍ତରାଷ୍ଟ୍ରିୟ ମହାସଂଘ ବା ଫିଫା ପକ୍ଷରୁ “ଫୁଟବଲ୍ ଫର୍ ସ୍କୁଲ” ନାମକ ଏକ ଆନ୍ତର୍ଜାତୀୟ ଯୋଜନା ହାତକୁ ନିଆଯାଇଛି । ଏଥିରେ ପୃଥିବୀ ର ବିଭିନ୍ନ ଦେଶ ର ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ମାନଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ଦିଆଯାଉଛି ।
ଏହି ମର୍ମରେ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ଆନୁକୁଲ୍ୟରେ ଭାରତ ର ତିନୋଟି ସ୍ଥାନରେ ଏଭଳି କର୍ମଶାଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଓ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ ର ମିଳିତ ଉଦ୍ୟମ ରେ ଭାରତ ର ସମସ୍ତ ରାଜ୍ୟ ର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକର ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ଙ୍କୁ ପ୍ରଶିକ୍ଷିତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଫିଫା ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ ର ପ୍ରଥମ ପ୍ରଶିକ୍ଷଣ କର୍ମଶାଳା ସମ୍ବଲପୁର ଠାରେ ଆୟୋଜିତ ହେଉଛି । ସମ୍ବଲପୁର ସହର ଉପକଣ୍ଠ ପିତାପାଲି ଠାରେ ସ୍ଥିତ ସମ୍ବଲପୁର ଫୁଟବଲ୍ ଏକାଡେମୀ ଠାରେ ଦ୍ଵି-ଦିବସୀୟ କର୍ମଶାଳା ର ଶୁଭାରମ୍ଭ ହୋଇଯାଇଛି । ଆଜିର ଏହି କର୍ମଶାଳା ର ଉଦଘାଟନି କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ ର ଶିକ୍ଷା ମନ୍ତ୍ରଣାଳୟ ର ଉପ-ସଚିବ ଚରଣଜିତ୍ ତନେଜା, ଫିଫା ଫୁଟବଲ୍ ଫର୍ ସ୍କୁଲ ର ଜାତୀୟ ସଂଯୋଜକ ଅମ୍ଳାନ କଲମ, ଫିଫା ଫୁଟବଲ୍ ଫର୍ ସ୍କୁଲ ର ପ୍ରକଳ୍ପ ପ୍ରବନ୍ଧକ ଆଣ୍ଟନିଓ ସାଞ୍ଚେସ, ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ ର ତୃଣମୂଳ କମିଟି ର ଅଧ୍ୟକ୍ଷ ମୂଲରାଜ୍ ସିଂ ଓ ଅନ୍ୟ ଅତିଥି ମାନେ ଦ୍ଵିପ ପ୍ରଜ୍ବଳନ କରି ପ୍ରଶିକ୍ଷଣ ଶିବିର ର ଶୁଭ ଉଦଘାଟନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଆନ୍ୟ ମାନଙ୍କ ମଧ୍ୟରେ ଫିଫା ର ଚାରିଜଣ ତାଲିମଦାତା ପ୍ରଶିକ୍ଷକ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ଵର ସମ୍ଭାଗ ର ଉପାୟୁକ୍ତ ଡ.ଶିହରଣ ବୋଷ, ନବୋଦୟ ବିଦ୍ୟାଳୟ ସମିତି ଆଞ୍ଚଳିକ କାର୍ଯ୍ୟଳୟ ଭୋପାଳ ର ସହାୟକ ଆୟୁକ୍ତ ଶ୍ରୀମତୀ ମଞ୍ଜୁରାଣୀ ଶର୍ମା, କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ ର ଅଧ୍ୟକ୍ଷ ଡ.ପ୍ରଶାନ୍ତ କୁମାର ଷଡଙ୍ଗୀ, ନବୋଦୟ ବିଦ୍ୟାଳୟ ଗୋଶାଳା ର ଅଧ୍ୟକ୍ଷ ଏସ୍.ଦାସ, ସମ୍ବଲପୁର ଫୁଟବଲ୍ ଏକାଡେମୀ ର ସଚିବ ଅତନୁ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଅରୁଣ କୁମାର ଯୋଶୀ ଓ ନବୋଦୟ ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଜେ. ପି. କର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।
ଏହି ପ୍ରଶିକ୍ଷଣ କର୍ମଶାଳା ରେ ଭାରତ ର ପୂର୍ବ ଓ ପୁର୍ବୋତ୍ତର ର ୧୩ ଗୋଟି ରାଜ୍ୟ ରୁ ୯୫ ଜଣ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ଯୋଗ ଦେଇଛନ୍ତି । ଏହି ପ୍ରଶିକ୍ଷଣ କର୍ମଶାଳା ରେ ପୂର୍ବାହ୍ନ ରେ ଥିଓରୀ (ଲିଖିତ ଓ ବାଚିକ) ପ୍ରଶିକ୍ଷଣ ଦିଆଯାଉଛି ଓ ଅପରାହ୍ନ ରେ ପ୍ରାକ୍ଟିକାଲ (ବ୍ୟବହାରିକ) ପ୍ରଶିକ୍ଷଣ ଦିଆଯାଉଛି । ପ୍ରଶିକ୍ଷଣ କର୍ମଶାଳା ର ଶେଷ ଦିନରେ ସମସ୍ତ ପ୍ରଶିକ୍ଷାର୍ଥ ମାନଙ୍କୁ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ୍ କରାଯିବ ।
ସମ୍ବଲପୁର ପରେ ବାଙ୍ଗାଲୋର ଓ ପୁନେ ଠାରେ ଏଭଳି ପ୍ରଶିକ୍ଷଣ କର୍ମଶାଳା ର ଆୟୋଜନ ହେବ ଯେଉଁଥିରେ ଦେଶ ରେ ଅନ୍ୟ ରାଜ୍ୟ ଗୁଡ଼ିକ ରୁ ପ୍ରଶିକ୍ଷାର୍ଥି ମାନେ ଭାଗ ନେବେ ।
ଫିଫା ଭଳି ଏକ ଆନ୍ତର୍ଜାତୀୟ ସଙ୍ଗଠନ ର ଏଭଳି ଏକ ଅନ୍ତରାଷ୍ଟ୍ରୀୟ ପ୍ରଶିକ୍ଷଣ କର୍ମଶାଳା ର କାର୍ଯ୍ୟକ୍ରମ ସମ୍ବଲପୁର ରେ ଆୟୋଜନ କରିଥିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।