କ୍ଷତିପୂରଣ ପ୍ରଦାନ ଦାବିରେ ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ


ଦେବଗଡ଼:ବିଦ୍ୟୁତ ସଂସ୍ପର୍ଶରେ ଆସି ଗତକାଲି ହେଲପର ଭାବେ କାର୍ଯ୍ୟରତ ଥିବା ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ତିଲେଇବଣି ବ୍ଲକର ତେଣ୍ଡରାକଟା ଗ୍ରାମର ସୁନୀଲ ପ୍ରଧାନ ଙ୍କ ମୃତ୍ୟୁ ଘଟିଥିଲା ।ମେଞ୍ଜାରିବାହାଳ ଗ୍ରାମରେ ଟ୍ରାନ୍ସଫର୍ମର ଖରାପ ଥିବା ହେତୁ ବିଦ୍ୟୁତ ବିଭ୍ରାଟ ଦେଖାଦଦେଇଥିଲା । ତେବେ ସୁନୀଲ ଟ୍ରାନ୍ସଫର୍ମର ବିଦ୍ୟୁତ ତାର ସଜାଡୁଥିବାବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ଖସିପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସାଥୀ କର୍ମଚାରୀମାନେ ଉଦ୍ଧାର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆଜି ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଖବରପାଇ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଯୁବ ନେତା ଭୁପେନ୍ଦ୍ର ପ୍ରସାଦ ନାୟକ, ସରପଂଚ ଉଦିତ ନାୟକଙ୍କ ସମେତ ଗ୍ରାମବାସୀାମନେ ମୃତକଙ୍କ ପରିବାରଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ସହିତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ବେଶ କିଛି ସମୟ ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଖବରପାଇ ଦେବଗଡ ଥାନା ପୁଲସ ଘଟଣାସ୍ଥଳରେ ପଂହଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତେବେ ମୃତକ ପରିବାରକୁ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ମିଳିବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ମୃତକଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ୧ ଲକ୍ଷ ଟଙ୍କା ଓ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଏବଂ ପରିବାରର ସଦସ୍ୟଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯିବା ସହିତ ଆଜି ଏକ ଦାବି ପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।