ତରଭାରେ ବୁଲିଲା ସାଇବର ସୁରକ୍ଷା ସଚେତନତା ରଥ ସାଇବର ଅପରାଧିଙ୍କ ଦାଉରୁ ରକ୍ଷା ପାଇବାକୁ ହେଲେ ସଚେତନ ହୁଅ


ସାରା ଦେଶରେ ବର୍ତ୍ତମାନ ସାଇବର ଅପରାଧ ବଢ଼ିବାରେ ଲାଗିଛି ।ସାଇବର ଅପରାଧୀଙ୍କ ମାୟାଜାଲରେ ଫସି ଜନସାଧାରଣ ନିଜ କଷ୍ଟପାର୍ଜିତ ଧନ ମିନିଟକରେ ହରାଇ ତଳିତଳାନ୍ତ ହେଉଛନ୍ତି। ସାଇବର ଠକାମିରୁ ଜନସାଧାରଣଙ୍କୁ ବଞ୍ଚାଇବା ପାଇଁ ଗତ କିଛିଦିନ ହେଲା ସୁବର୍ଣ୍ଣପୁର ପୁଲିସ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି।ଏହି ପରିପ୍ରେକ୍ଷୀରେ ଶନିବାର ସାଇବର ସୁରକ୍ଷା ସଚେତନତା ରଥ ତରଭାରେ ବୁଲି ସାଇବର ଅପରାଧିଙ୍କ ଦାଉରୁ ରକ୍ଷା ପାଇବାକୁ ହେଲେ ସଚେତନ ହୁଅର ବାର୍ତ୍ତା ଦେଇଛି।ପୂର୍ବାହ୍ନରେ ରଥ ତରଭା ନୁଆପଡା ଛକରେ ପହଞ୍ଚିବା ପରେ ତାକୁ ତରଭା ଥାନା ଆଇଆଇସି ଅନିତା କିଡୋଙ୍କ ସହିତ ଥାନାର ସମସ୍ତ ପୁଲିସ କର୍ମଚାରୀ ,ଜନସାଧାରଣ ,ଗଣମାଧ୍ୟମ ପ୍ରତିନିଧି, ମହିଳା ଓ ପୁରୁଷ କୀର୍ତ୍ତନ୍ଯ ଦଳ ମାଧ୍ୟମରେ ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ରଥ ମୁଖ୍ୟ ରାସ୍ତା ଦେଇ ସରକାରୀ ବାଳକ ହାଇସ୍କୁଲରେ ପହଞ୍ଚି ଥିଲା । ସେଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରଥଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସୋନପୁର ଡିଏସପି ପ୍ରତାପ ରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ତରଭା ଆଇଆଇସି ଅନିତା କିଡୋ, ପୁର୍ବତନ ନଗରପାଳ ଶୈଳେନ୍ଦ୍ର କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ, ଫାୟାର ଅଫିସର ଅନିଲ କୁମାର ମିଶ୍ର, ଏସ ବି ଆଇ ଏବିଏମ ସନ୍ତୋଷ କୁମାର ତ୍ରିପାଠୀ, ହାବିଲଦାର ମନୋଜ ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଠକାମିରୁ କିପରି ବର୍ତ୍ତିବେ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ସଚେତନତା କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା । ପରେ ରଥ ଏଇଏସ କଲେଜରେ ପହଞ୍ଚିଥିଲା। ସେଠାରେ କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀ ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କଲେଜ ଅଧ୍ୟକ୍ଷା ସୁଶ୍ରୀ ମିନତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ପୁଲିସ ଡିଏସପି ପ୍ରତାପ ରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ତହସିଲଦାର କିର୍ତ୍ତିଚନ୍ଦ୍ର ପଧାନ, ଏସବିଆଇ ଶାଖା ପରିଚାଳକ ସଞ୍ଜିବ ନନ୍ଦ, ଫାୟାର ଅଫିସର ଅନିଲ କୁମାର ମିଶ୍ର ଓ ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଠକ ମାନଙ୍କ ଠାରୁ ବର୍ତ୍ତିବା ସର୍ବଦା ସଚେତନ ରହିବା ପାଇଁ କହିଥିଲେ। କଲେଜ ଛାତ୍ରଛାତ୍ରୀ ମାନେ ‘ସାବଧାନ ସାବଧାନ ସାଇବର ଠକଙ୍କୁ ସାବଧାନ’ ଶୀର୍ଷକ ଏକାଙ୍କିକା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଥିଲେ।ଶେଷରେ ଦୁର୍ଗାମଣ୍ଡପ ଛକରେ ଜନ ସାଧାରଣଙ୍କୁ ସାଇବର ଠକାମିରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଉପରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିଲେ।