ବେଲଗୁଣ୍ଠା, 10/10, ବେଲଗୁଣ୍ଠା ବ୍ଳକ୍ ରତଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଖୁସିର ପରିବେଶ I ଗ୍ରାମବାସୀ କିଛି ହଜାଇ ଦେଇଥିବା ଜିନିଷ ଖୋଜି ପାଇଲା ଭଳି ଅନୁଭବ କରୁଛନ୍ତି I ଏହାର କାରଣ ହେଉଛି ଦୀର୍ଘ 51 ବର୍ଷ ପୂର୍ବେ ଗାଆଁରୁ ହଜିଯାଇଥିବା ପୁଅ ଜୀବନର ପରିଣତ ବୟସରେ ଗାଆଁକୁ ଫେରି ଆସିଛି I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ରତଙ୍ଗ ଗ୍ରାମର କାଳୁ ରଣା ନିଜ ମାଆଙ୍କ ଅକାଳ ମୃତ୍ୟୁ ପରେ ଏଗାର ବର୍ଷ ବୟସରେ ରୋଜଗାର ଆଶାରେ 1974 ମସିହାରେ ଭଞ୍ଜନଗରରୁ ବସ୍ ରେ ଚଢି ଭୁବନେଶ୍ୱରର ଚାଲିଯାଇଥିଲେ I ସେଠାରୁ ଟ୍ରେନ୍ ରେ ମଣିପୁରର ରାଜଧାନୀ ଇମ୍ଫାଲ ଯାଇ ସେଠାରେ ଏକ ଡ୍ୟାମ୍ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀଙ୍କୁ ଚାହା ପାଣି ଦେବା କାମରେ ନିଯୁକ୍ତ ହୋଇଥିଲେ I କିଛି ମାସ ପରେ ସେ ମଧ୍ୟପ୍ରଦେଶର ଫୁଲପୁର୍,ଆନପୂର୍ ଏବଂ ବିଜୟପୁର ଆଦି ଅଞ୍ଚଳରେ ରହିଥିଲେ I କ୍ରମେ ବିଜୟପୁରରେ କାଳୁ ଜଣେ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ଡାକ୍ତରଙ୍କ ପ୍ରସ୍ତାବରେ ତାଙ୍କ ଶଶୁର ଘର ଉତ୍ତରପ୍ରଦେଶର ବାଲିଆ ଜିଲ୍ଳା ଅଞ୍ଚଳକୁ ଯାଇ ସେଠାରେ ଡାକ୍ତରଙ୍କ ଶଶୁର ଘରେ ଘରକାମ ଏବଂ ଚାଷ କାମ କରିଥିଲେ I ପିଲାଟି ଦିନରୁ ଘର ଛାଡି ବାହାର ରାଜ୍ୟରେ ରହୁଥିବାରୁ ସେ ଓଡ଼ିଆ ଭୁଲିଯିବା ସହ ସେଠାକାର ଚାଲିଚଳଣି ଏବଂ ଭାଷାକୁ ଆପଣାଇନେଇଥିଲେ I କିନ୍ତୁ ଭୁଲି ପାରିନଥିଲେ ନିଜ ଜନ୍ମମାଟି ଆଉ ପରିବାର ଲୋକଙ୍କୁ I କାଳୁଙ୍କ କହିବା ପ୍ରକାରେ ତାଙ୍କ ସ୍ଵପ୍ନରେ ତାଙ୍କ ମାଆ ଆସୁଥିଲେ I ବୟସର ଅପରାହ୍ଣରେ କାଳୁଙ୍କୁ ନିଜ ଗାଆଁ ମାଟି ଅଧିକ ଆକର୍ଷିତ କରିଥିଲା I ତେଣୁ ସେ ଗାଆଁକୁ ଫେରିବାକୁ ନିଷ୍ପତି ନେଇଥିଲେ I ଭଞ୍ଜନଗର ବ୍ଳକ୍ ଗାମୁଣ୍ଡି ଗ୍ରାମର ପୂର୍ବତନ ସରପଞ୍ଚ ଇଂ ଲିଙ୍ଗରାଜ ପ୍ରଧାନ,ଆଇନଜୀବୀ ସନ୍ତୋଷ ପାଳ, ବିପଦର ବନ୍ଧୁ ସ୍ଵେଚ୍ଛାସେବୀ ସଂଗଠନ ଏବଂ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଚେଷ୍ଟାରେ କାଳୁ ଗାଆଁକୁ ଫେରିପାରିବା ସହ ଖୁସି ପ୍ରକଟ କରିଛନ୍ତି I କାଳୁଙ୍କ ବର୍ତ୍ତମାନ ବୟସ 62 ବର୍ଷ I ସୂଚନା ପ୍ରକାରେ ତାଙ୍କ ବାପାଙ୍କ ନାମ ଥିଲା ରଘୁନାଥ ରଣା ଏବଂ କାଳୁ ତୃତୀୟ ଶ୍ରେଣୀ ପାଠ ପଢି ଆର୍ଥିକ ଅଭାବ ଯୋଗୁଁ ଗାଆଁ ଛାଡିଥିଲେ I
51 ବର୍ଷପରେ ଗାଁକୁ ଫେରିଲେ କାଲୁରଣା
