ପିକଅପ ଗାଡିକୁ ଧକ୍କା ଦେଲା ଅଜଣା ଟ୍ରକ ୨ ଯୁବକ ମୃତ


ଦେବଗଡ଼:ତିଲେଇବଣି ବ୍ଲକର ୫୩ନଂ ଜାତୀୟ ରାଜପଥର ଚଟିବରଘାଟ-କଂସରଦ୍ବିବାଟି ରାସ୍ତାରେ ଆଜି ସଂଧ୍ୟାରେ ପିକଅପ ଗାଡିକୁ ଅଜଣାଟ୍ରକ ଧକ୍କା ଦେବା ଫଳରେ ୨ଜଣ ଯୁବକର ମୃତ୍ୟୁ ଘଟିଛି । ମୃତକ ଦ୍ବୟ ହେଲେ ଦେବଗଡ ଥାନାଚଂଳର ବଳମ ଗ୍ରାମର ସଂଜୀବ ରାଉତ ଓ ଭାଲୁମୁଣ୍ଡା ଗ୍ରାମର ଚନ୍ଦନ ପଲେଇ। ମିଳିଥିବା ସୂଚନା ଅନୁଯାୟୀ, ସଂଜୀବ ଓ ଚନ୍ଦନ ଏକ ପିକ ଗାଡି ଯୋଗେ କୌଣସି କାମରେ ସମ୍ବଲପୁର ଯାଇଥିଲେ । କାମ ସାରି ସେମାନେ ଦେବଗଡ ଅଭିମୁଖେ ଫେରୁଥିଲେ । ତେବେ ୫୩ନଂ ଜାତୀୟ ରାଜପଥର ଚଟିବରଘାଟ-କଂସରଦ୍ବିବାଟି ରାସ୍ତାରେ ସେମାନଙ୍କର ଗାଡିର ଚକା ପେଚ ହୋଇଯାଇଥିଲା । ସେମାନେ ଗାଡିର ଚକା ପେଚ କରି ଅନ୍ୟ ଏକ ଚକାକୁ ଗାଡିକୁ ଉଠାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଚନ୍ଦନଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ସଂଜୀବକୁ ଉଦ୍ଧାର କରାଯାଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥଲା । ଖବରପାଇ ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।