Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖପରସାହି ଦୁର୍ଗା ପୂଜା ରାବଣ ପୋଡି ସମୟରେ ଗଣ୍ଡଗୋ‌ଳ

ଦେବଗଡ଼:ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଖପର ସାହି ଦୁର୍ଗା ପୁଜା କମିଟୀର ସଦସ୍ୟଙ୍କ ନାମରେ ମିଥ୍ୟା ଅଭିଯୋଗ କରିବା ପ୍ରତିବାଦରେ କମିଟି ପକ୍ଷରୁ ଆଜି ଦେବଗଡ଼ ଆଦର୍ଶ ଥାନା ସମ୍ମୁଖରେ ଅରୁନ୍ଧତୀ ଦେବୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ଥାନାରେ ତାଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଖପରସାହି ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ କମିଟି ପକ୍ଷରୁ ଅତିଥି ଭାବେ ଡକା ଯାଇନଥିଲା । ଅରୁନ୍ଧତୀ ଦେବୀ ତାଙ୍କର ସମର୍ଥକଙ୍କ ସହିତ ରାବଣ ପୋଡି ହୋଇଥିବା ସ୍ଥାନରେ ପହଞ୍ଚି ତାଙ୍କୁ ଅତିଥି କରିବାକୁ କମିଟି ସଦସ୍ୟଙ୍କୁ କହିଥିଲେ । ମାତ୍ର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅତିଥି ଚୟନ ଓ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ତାଙ୍କୁ ଅତିଥି କରିବା ଅସମ୍ଭବ ବୋଲି କମିଟି ପକ୍ଷରୁ କୁହାଯାଇଥିଲା । ଏହାପରେ ମଧ୍ୟ ଅରୁନ୍ଧତୀ ଦେବୀ ସେମାନଙ୍କୁ କଥା ନଶୁଣି ଅତିଥି ହେବା ପାଇଁ ଜିଦ ଧରିବା ସହିତ ରାସ୍ତାରେ ବସିପଡି କମିଟୀର ସଦସ୍ୟ ମାନଙ୍କୁ ଗାଳିଗୁଲଜ କରିବା ସହିତ ସେ ଉତକ୍ଷିପ୍ତ ହୋଇ କମିଟି ସଦସ୍ୟଙ୍କ ସହ ଯୁକ୍ତିତର୍କ କରିବା ସହିତ ଗଣ୍ଡଗୋଳ କରିଥିଲେ । ଏହାସହିତ କମିଟୀର ସଭାପତି ଉମାଶଙ୍କର ସାହୁ ନାମରେ ଅରୁନ୍ଧତୀ ଦେବୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଅପ୍ରଚାର କରିବା ସହିତ ଶ୍ରୀ ସାହୁ ଓ କମିଟୀର ସମ୍ମାନ ହାନି ହୋଇଥିବା ନେଇ ଆଜି ଖପରସାହି ଦୁର୍ଗା ପୂଜା କମିଟୀ ପକ୍ଷରୁ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅରୁନ୍ଧତୀ ଦେବୀଙ୍କୁ ଖପର ସାହି ଦୁର୍ଗା ପୂଜା କମିଟି ପକ୍ଷରୁ ତାଙ୍କୁ ଅସଦାଚରଣ କରିବା ସହିତ ଠେଲାପେଲା କରିଥିବା ଗତକାଲି ଅରୁନ୍ଧତୀ ଏ ନେଇ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାର ପ୍ରତିବାଦରେ ଆଜି କମିଟୀର ସଭାପତି ଶ୍ରୀ ସାହୁଙ୍କ ନେତୃତ୍ବରେ ସାହିର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦେବଗଡ଼ ଆଦର୍ଶ ଥାନାକୁ ଆସି ଅରୁନ୍ଧତୀ ଦେବୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ କୁଶ ପୁତ୍ତଳିକା ଦାହ କରିଥିଲେ । ଏଥିସହ ମିଥ୍ୟା ମାମଲା ତୁରନ୍ତ ପ୍ରତ୍ୟାହାର ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବା ନେଇ ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି । ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।