କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ


ଦେବଗଡ଼:ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସରକର୍ମୀମାନେ ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ କରିଥିଲେ । ଏହାସହିତ ପୁରୀର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଗଣତି, ମଣତି ଏବଂ ଭଣ୍ଡାର ଘର ମରାମତି ଓ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସୁବାସ ଚନ୍ଦ୍ର ଭୋଇ, ମଞ୍ଜୁଳ ନାୟକ, ନଗର ସଭାପତି ରେବତୀ ମୋହନ ପଟ୍ଟନାୟକଙ୍କ ସମେତ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। ଅନୁରୂପ ଭାବେ ରିଆମାଳ ବ୍ଲକ ଓ ତିଲେଇବଣି ବ୍ଲକରେ ମଧ୍ୟ ଜଗନ୍ନାଥ ମନ୍ଦିର ପରିସରରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା ।