ଦେବଗଡ଼: ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ୫ଦଫା ଦାବି ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରୁ କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରୀ ଜମି ଦଖଲରେ ରଖି ଚାଷ କରୁଥିବା ଜମିର ପଟ୍ଟା ପ୍ରଦାନ, ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାରୀ ଓ ସ୍ଥାୟୀ ପଟ୍ଟା, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଘରଡିହ ପଟ୍ଟା, ଚାଷ ଜମିର କିସମ ପରିବର୍ତନ ଏବଂ ରେଙ୍ଗାଳୀ ବାସଚ୍ୟୁତଙ୍କୁ ବକେୟା ଜମି ପ୍ରଦାନ ଓ ଚିହ୍ନଟ ଦାବି ନେଇ ସଂଘ ପକ୍ଷରୁ ଦାବି କରାଯାଇଛି । ସରକାରୀ ଯୋଜନାରୁ ଆଜି ବି ବଂଚିତ ଅଛନ୍ତି ବହୁ ଚାଷୀ । କିନ୍ତୁ ଚାଷୀଙ୍କୁ ଜମି ଦେବାରେ ଫେଲ ମାରିଛନ୍ତି ସରକାର ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଗୁଡା ଓ ପତିତ ଜମିରେ ଦୀର୍ଘ ବର୍ଷ ହେଲା ଧାନ ଚାଷ ହେଉଛି । କିନ୍ତୁ କିସମ ପରିବର୍ତନ ହେଉନଥିବାରୁ ଚାଷୀ ଧାନ ବିକ୍ରି କରିପାରୁନାହଁାନ୍ତି । ଅନ୍ୟପଟେ ଦୀର୍ଘ ବର୍ଷ ପରେ ବି ରେଙ୍ଗାଳୀ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ତୁରନ୍ତ ବିସ୍ଥାପିତ ମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଆଦିବାସୀ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ଜଙ୍ଗଲ ଜମି । ଚାଷୀଙ୍କ ଏଭଳି ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛି କୃଷକ ସଂଘର୍ଷ ସଂଘ ପକ୍ଷରୁ ଦାବି କରାଯାଇଛି । ତେବେ ଏନେଇ ଆଜି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୫ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଜି ବହୁ ସଂଖ୍ୟକ ଚାଷୀ ଯୋଗ ଦେଇଥିବାବେଳେ ସହରରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଏଥିରେ ସଂଘର ସଂପାଦକ ଗୁଣନିଧି ବେହେରା, ରେଙ୍ଗାଳୀ ବାସଚ୍ୟୁତ ସୁରକ୍ଷା ସମିତିର ସଭାପତି ନେତ୍ରାନନ୍ଦ ସାମଲ,ରେବତୀ ମୋହନ ପଟ୍ଟନାୟକଙ୍କ ସମେତ ସଂଘର ବହୁ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ ।