Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ରେ ଜିଲ୍ଲାକଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ ବନ୍ଦ ଡାକରା

ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ତେବେ ଉକ୍ତ ଘଟଣା ସଂପର୍କରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଧାନ କିଣାରେ ଅବ୍ୟବସ୍ଥାକୁ ପ୍ରତିବାଦ କରି ଆସନ୍ତା ୧୬ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ଦେବଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଦିନ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦେକାନ ବଜାର ,ସ୍କୁଲ ଓ କଲେଜ ବନ୍ଦ କରାଯିବ ବୋଲି ଆଜି ସଂଧ୍ୟାରେ ସ୍ଥାନୀୟ ରୋନକ ପ୍ଲାଜା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ସୂଚନା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ମାସ ୧୫ରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୯ହଜାର ୦୭୭ ଜଣ ଚାଷୀ ପଂଜିକୃତ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ମିଲର୍ସମାନଙ୍କ ମନମାନି ଯୋଗଁୁ ଚାଷମାନଙ୍କ ଠାରୁ କ୍ରୟ କରାଯାଇଥିବା ଧାନ ଠିକ ସମୟରେ ମଣ୍ଡିରୁ ଉଠିନପାରି ମଣ୍ଡିରେ ପଡିରହୁଛି । ମଣ୍ଡିରୁ ଠିକ ସମୟରେ ଧାନ ଉଠୁନଥିବାରୁ ଚାଷୀମାନେ ଉପଯୁକ୍ତ ସମୟରେ ଧାନ ବିକ୍ରି କରିପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଠିକ ସମୟରେ ଜିଲ୍ଲାର ସମସ୍ତ ପ୍ୟାକ୍ସରେ ଟାର୍ଗେଟ ଠିକ ସମୟରେ ଆସୁନଥିବା ଯୋଗଁୁ ଚାଷୀମାନେ ୨୦ ଦିନ ବିଳମ୍ବରେ ଧାନ ବିକ୍ରି କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଧାନମଣ୍ଡିରେ ମିଲର୍ସମାନେ କଟନୀଛଟନୀ କରୁଥିବାବେଳେ ୨୫ କୁଇଣ୍ଟାଲରୁ ଅଧିକ ଧାନ ଚାଷୀମାନେ ବିକ୍ରି କରୁଥିଲେ ସେମାନଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ ମିଲର୍ସମାନେ ବାଧ୍ୟ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଚାଷୀମାନଙ୍କ ଦୁଃଖ ବୁଝୁନଥିବାବେଳେ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଉପସଭାପତି ମଞ୍ଜୁଳ ନାଏକ, ମହିଳା କଂଗ୍ରେସ ସଭ‌ାନେତ୍ରୀ ଲିତା ଆଚାର୍ଯ୍ୟ, ନଗର କଂଗ୍ରେସ ସଭାପତି ରେବତୀ ମେ‌ାହନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସଲମାନ ହେନେଜ, ଛାତ୍ର କଂଗ୍ରେସ ସଭାପତି ଆନନ୍ଦ କୁଲା, ରିଆମାଳ ବ୍ଲକ ସଭାପତି ସୁଶାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।