ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜର ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରିବେ । ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ପରେ ଜାନୁଆରୀ ୩୧ରେ ଆର୍ଥିକ ସର୍ଭେକ୍ଷଣ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଏହା ମୋଦୀ ସରକାର ୨.୦ର ଶେଷ ବଜେଟ୍ ହେବ । ତେଣୁ ଏହି ବଜେଟରେ ଅନେକ ବଡ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।
ବଜେଟରେ ମହିଳା ଓ କୃଷକଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ । ଏହା ସହିତ କରଦାତାଙ୍କ ପାଇଁ ବଡ ଆଶ୍ୱସ୍ତିକର ଘୋଷଣା କରି ପାରନ୍ତି ସରକାର । ସବୁ ବର୍ଗକୁ ଦୃଷ୍ଟିରେ ରଖି ସରକାର ଲୋଭନୀୟ ବଜେଟ୍ କରିବେ ବୋଲି ଆଶା କରାଯାଉଛି । ଏହି ବଜେଟରେ ସରକାର କୃଷକଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧିକୁ ଦୁଇ ଗୁଣ କରିବାକୁ ପ୍ରସ୍ତାବ ଆଣି ପାରନ୍ତି । ହେଲେ ବର୍ତମାନ ସରକାରଙ୍କ ଏଜେଣ୍ଡାରେ କୌଣସି ବଡ ବିଧାୟୀ କାର୍ଯ୍ୟ ନାହିଁ ।
ଉଲ୍ଲେଖନୀୟ ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ୪ ତାରିଖରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ଯାହା ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ସମାପ୍ତ ହୋଇଥିଲା । ଏହି ଅଧିବେଶନରେ ସରକାର ଅପରାଧ ଓ ନ୍ୟାୟ ସହ ଜଡିତ ବିଲ୍ ଗୃହୀତ କରାଇଥିଲେ ।