ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ଫସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ


ଦେବଗଡ଼: ସ୍ଥାନୀୟ ନୂଆଁବାଲିରଇ ଠାରେ ଆଜି ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ଫସର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଆନୁଷ୍ଠନିକ ଭାବ‌େ ବିଦ୍ୟାଳୟର ଭୂମିପୂଜନ କରିଥିଲେ । ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ । ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ । ଦେବଗଡ଼ ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ । ଜିଲ୍ଲାର ମୂଳପୁଞ୍ଜି ହେଉଛି ଶିକ୍ଷା । ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦାନ ଅତୁଳନୀୟ । ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି । ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାସହିତ ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବା ସହ ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱ ଦେବା ପାଇଁ ଶିକ୍ଷକ /ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ‌କେନ୍ଦ୍ରୀୟ ବିଦ୍ୟାଳୟର ଭୁବନେଶ୍ବର ‌ରିଜିୟନର ଡେପୁଟି କମିଶନର ଶ୍ରୀହରଣ ବୋଷ ବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ସାହୁ ଉପସ୍ଥିତ ଥିଲେ ।