Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭକ୍ତଙ୍କୁ ନେଇ କଳାହାଣ୍ଡି କଂଗ୍ରେସରେ ଅସନ୍ତୋଷ ବଢୁଛି

ଧର୍ମଗଡ଼, ତା ୨୪-ଭକ୍ତଙ୍କ ମନମୁଖୀ କାର୍ଯ୍ୟ ପାଇଁ କଳାହାଣ୍ଡି କଂଗ୍ରେସରେ ଅସନ୍ତୋଷ ବଢୁଛି। ଭକ୍ତଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ଇତିମଧ୍ୟରେ ଅନେକ ପୁରୁଖା ଓ ନୂଆ ନେତା କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଭକ୍ତ ଦାସ କେବଳ ନିଜର ଏବଂ ନିଜ ପୁଅର ରାଜନୈତିକ ଭବିଷ୍ୟତ ସୁରକ୍ଷା ପାଇଁ ଦଳର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ଅନେକ ନେତା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ସାଉଲ ମଙ୍ଗରାଜ , ନର୍ଲା ବ୍ଳକର ପଞ୍ଚାନନ ସାହୁ ସମେତ ଅନେକ କାର୍ଯ୍ୟକର୍ତ୍ତା ଦିଲ୍ଲୀ ସ୍ଥିତ ଏ ଆଇ ସି ସି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି। ଅସନ୍ତୁଷ୍ଟ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଭକ୍ତ ଦାସ ଦଳିତ କାର୍ଡ ଖେଳି ଏ ଆଇ ସି ସି ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିବାବେଳେ ବାରମ୍ବାର ହାରିବା ସତ୍ତ୍ବେ ସାଂସଦ ଟିକଟ ପାଇଛନ୍ତି। ବର୍ତ୍ତମାନ ତାଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଶ୍ରୀ ଦାସ ଅନ୍ୟମାନଙ୍କୁ ଅବହେଳା କରୁଛନ୍ତି। ଗତ୨୦୧୯ ନିର୍ବାଚନରେ ତାଙ୍କ ପୁତ୍ର ସାଗର ଦାସଙ୍କୁ ଭବାନୀପାଟଣା ସଂରକ୍ଷିତ ଆସନରେ ପ୍ରାର୍ଥୀ କରାଇଥିଲେ। ଏଥିପାଇଁ ଅନେକ ଦିନରୁ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ଦଳକୁ ମଜବୁତ କରିଥିବା ଅନେକ କର୍ମୀ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।ସେହି ନିର୍ବାଚନରେ ସାଗର ଦାସ ମାତ୍ର ୩୫୪୯୯ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏହି ନିର୍ବାଚନରେ ଦୁଷ୍ମନ୍ତ ନାଏକ ୫୮୩୭୯ଭୋଟ ଏବଂ ପ୍ରଦୀପ୍ତ ନାଏକ ୬୨୪୬୬ ଭୋଟ ପାଇ ବିଜୟୀ ହୋଇଥିଲେ। ତଥାପି ଦଳ ଚଳିତ ନିର୍ବାଚନରେ ସାଗର ଦାସଙ୍କୁ ଭବାନୀପାଟଣା ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଅଣସଂରକ୍ଷିତ ନର୍ଲା ଆସନ ପାଇଁ ଭକ୍ତ ଦାସ ନିଜେ ପ୍ରାର୍ଥୀ ‌ହେବା ଅନେକଙ୍କୁ ଅସନ୍ତୋଷ କରିଛି। ଏହା ଦ୍ଵାରା ଅନେକ ସାଧାରଣ ବର୍ଗ ଏବଂ ସଂଖ୍ୟା ଗରିଷ୍ଠ ଅନୁସୁଚିତ ଜାତି ଆଶାୟୀ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି ବୋଲି ଅସନ୍ତୋଷ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଯିଏ କର୍ମୀଙ୍କୁ ଭଲରେ ଚିହ୍ନି ନାହିଁ ସେଭଳି ଲୋକଙ୍କୁ ଡାକି ଟିକେଟ ଦିଆଯାଉଛି। ଆଜି ଯୋଗଦେଲେ କାଲି ଟିକଟ ମିଳୁଛି ଅଥଚ ପୁରୁଣା କର୍ମୀ ସବୁବେଳେ ଅଣଦେଖା ହୋଇ ରହୁଛନ୍ତି।ଭକ୍ତଙ୍କ ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ କଂଗ୍ରେସର ପାରମ୍ପରିକ ଭୋଟ କଂଗ୍ରେସ ଠାରୁ ଦୂରେଇ ଯାଉଛି ବୋଲି ଶ୍ରୀ ମଙ୍ଗରାଜ, ଶ୍ରୀ ସାହୁ ସମେତ ଶତାଧିକ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଟିକେଟ ବଣ୍ଟନରେ ଯଦି ସିଇସି ପୁର୍ନବିଚାର ନକରେ ତେବେ ଆଗାମୀ ନିର୍ବାଚନରେ କଂଗ୍ରେସ ବଡ ବିପର୍ଯ୍ୟୟର ସାମ୍ନା କରିବ ବୋଲି ସେମାନେ କହିଛନ୍ତି।