ଲଖନପୁର ବ୍ଲକରେ “ମୋ ଘର ଯୋଜନା” ନୈରାଶ୍ୟ ଜନକ


ଝାରସୁଗୁଡା ୨୭/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସର୍ବ ବୃହତ ଲଖନପୁର ବ୍ଲକରେ ରାଜ୍ୟ ସରକାରଙ୍କ “ମୋ ଘର ଯୋଜନା” ସ୍ଥିତି ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟ ଜନକ । ମିଳିଥିବା ତଥ୍ୟ ଅନୁଯାୟୀ ବ୍ଲକର ସମସ୍ତ ୩୩ ଟି ପଞ୍ଚାୟତରେ ୧୨୨୨ ଜଣ ହିତାଧିକାରୀ ଆବଶ୍ୟକ ନଥିପତ୍ର ସଂଲଗ୍ନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ମୋ ଘର ଯୋଜନାରେ ଅନ ଲାଇନ ମାଧ୍ୟମରେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୬୯୮ ଜଣଙ୍କ ଆବେଦନ ପତ୍ରକୁ ବ୍ଲକ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଋଣ ମଞ୍ଜୁର ପାଇଁ ସୁପାରିଶ କରା ଯାଇଥିବା ବେଳେ ବିଭିନ୍ନ କାରଣ ଯୋଗୁଁ ୧୧୭ ଜଣଙ୍କ ଆବେଦନ ଖାରଜ ହୋଇଥିଲା । କେବଳ ୮ ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କର କତ୍ତୃପକ୍ଷ ଋଣ ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଲଳିପପ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ହେଉଛି ।
ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୨୩ ଜୁନ ମାସରେ “ମୋ ଘର ଯୋଜନା” ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ହିତାଧିକାରୀ ମାନେ ପକ୍କାଘର ତିଆରି କରିବା ପାଇଁ କୌଣସି ଏକ ରାଷ୍ଟ୍ରାୟତ ବ୍ୟାଙ୍କରୁ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ନେଇ ପାରିବେ ଏବଂ ସେମାନଙ୍କୁ ପ୍ରଥମ ବର୍ଷ ଋଣ ଶୁଝିବାକୁ ପଡୁ ନଥିବା ବେଳେ ଦ୍ଵିତୀୟ ବର୍ଷ ଠାରୁ ୧୦ ବର୍ଷ ମଧ୍ୟରେ ମାସିକ କିସ୍ତିରେ ଋଣ ଶୁଝିବା ନିୟମ ରହିଛି । ଏଥିପାଇଁ ଗତ ୨୦୨୩ ମସିହା ଜୁନ୍ ୧୬ ତାରିଖ ଠାରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିତାଧିକାରୀ ମାନେ ଆବଶ୍ୟକ ନଥିପତ୍ର ଦେଇ ଅନ ଲାଇନ ମାଧ୍ୟମରେ ଆବେଦନ କରି ସାରିଛନ୍ତି । ରାଜ୍ୟ ସରକାର ଗରିବଙ୍କୁ ମାଗଣା ଘର ନଦେଇ ସୁଧ ରିହାତିର ଲୋଭ ଦେଖାଇ ଯେଉଁ ଭେଳିକି କରିଛନ୍ତି ତାହା ପରୋକ୍ଷରେ ସରକାରଙ୍କ ପାଇଁ ବୁମେରାଂ ହେବା ସହିତ ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ପକ୍କାଘର ଯୋଜନାରୁ ବଞ୍ଚିତ ହିତାଧିକାରୀ କିପରି ଏହାର ସୁଫଳ ପାଇ ପାରିବେ ସେ ଦିଗରେ ବିଶେଷ ଦୃଷ୍ଟି ଦେଉ ନଥିବା ଯୋଗୁଁ ଏହି ଯୋଜନା ପ୍ରାୟତଃ ଫେଲ୍ ମାରିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲଙ୍କୁ ପଚାରିବାରୁ ଜମିପଟ୍ଟା ସ୍ୱତନ୍ତ୍ର ଭାବେ ହିତାଧିକାରୀଙ୍କ ନାମରେ ରହିଥିବା ଆବଶ୍ୟକ । ଦେଖିବାକୁ ମିଳୁଛି ଯେ ମୋ ଘର ନିମନ୍ତେ ଆବେଦନ କରିଥିବା ଅଧିକାଂଶ ହିତାଧିକାରୀଙ୍କ ଅଜା କିମ୍ବା ପଣଅଜାଙ୍କ ନାମରେ ଜମିପଟ୍ଟା ରହିଥିବା ଯୋଗୁଁ ବ୍ୟାଙ୍କ ମଞ୍ଜୁରୀ ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଥିବା ସେ କହିଛନ୍ତି ।