ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅର୍ନ୍ତଗତ ଘୋଷରାମାଳ ଗ୍ରାମ ପଞ୍ଚାୟତ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଭୀମ ମଣ୍ଡଳୀ ଏକ ପ୍ରାଗ୍ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏଠାରେ ୨୦ହଜାର ବର୍ଷ ତଳର ଶୈଳ ଚିତ୍ର , ବିରଳ ପ୍ରଜାତିର ଜୀବଜନ୍ତୁ, ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ମିଳିଥାଏ। ଓଡିଶାର ଅନ୍ୟତମ ଘଞ୍ଚ ଜଙ୍ଗଲ ଭାବେ ଭୀମ ମଣ୍ଡଳୀ ମାନ୍ୟତା ଲାଭ କରିଛି । ବୁଟୁକା ସୁଦ, ଜଙ୍ଗଲୀ ଜନ ଜାତିଙ୍କ ଆଦି ପୀଠ ଭୀମ ମଣ୍ଡଳୀ ଦିଅଁ ଓଳଗା ପାହାଡ ଅଟେ । ଏଣୁ ବର୍ଷ ସାରା ଏଠାକୁ ଦେଶ ବିଦେଶରୁ ଅନେକ ଗବେଷକ, ପର୍ଯ୍ୟଟକ
ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ, ଗବେଷଣା ତଥା ପୂଜା ପାଠ ପାଇଁ ଲକ୍ଷାଧୀକ ଭକ୍ତ,ପର୍ଯ୍ୟଟକ ଓ ଦର୍ଶକ ଆସିଥାନ୍ତି।
ଜନସାଧାରଣଙ୍କ ସୁବିଧା ତଥା ଗବେଷଣା ପାଇଁ ଭୀମମଣ୍ଡଳୀ ପାହାଡ ଉପରେ ଏକ ୱାଚ୍ ଟାୱାର,ଜଙ୍ଗଲି ଜୀବ ଜନ୍ତୁଙ୍କ ଖାଦ୍ୟ ପାଇଁ ଫେଡର ପ୍ଲାଣ୍ଟେସନ୍, ଆୟୁର୍ବେଦିକ ବୃକ୍ଷ ରୋପଣ , ଝରଣାର ଜଳ
ସଂରକ୍ଷଣ ପାଇଁ ଓ୍ବାଟର ହାରଭେଷ୍ଟିଙ୍ଗ ଷ୍ଟ୍ରକ୍ଚର ନିର୍ମାଣ ଓ ବାହାଲଝରଣ ଗ୍ରାମରେ ପର୍ଯ୍ୟଟକଙ୍କ ପାଇଁ ଗାଡି ପାର୍କିଙ୍ଗ ସ୍ଥାନ, ଆଶ୍ରୟସ୍ଥଳ, ଫୁଟ୍ ପାଥ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ସେଲ ଆଉଟ ଲେଟ୍, ବଣଭୋଜି ପାଇଁ ପିଣ୍ଡି, ସକପିଟ୍, ଯାତ୍ରୀ ନିବାସ, ହୋଟେଲ ଗୃହ ତଥା ଇକୋ ଟୁରିଜିମ୍ ପାଇଁ ସରକାରଙ୍କ ଠାରେ ଦୀର୍ଘ ବର୍ଷ ଧରି ଦାବି ହେଉଛି।ଦାବି ଦାବିରେ ରହିଗଲା ପରେ ମଧ୍ୟ କୌଣସି ସରକାର ଭୀମ ମଣ୍ଡଳୀ ପ୍ରତି ଦୃଷ୍ଟି ନଦେବା ଦୁଃଖର କାରଣ ସାଜିଛି।ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସମସ୍ତ ପ୍ରକାର ସୁଯୋଗ ଥିଲେ ମଧ୍ୟ ଏହି ପୌରାଣିକ ଓ ଐତିହାସିକ ପୀଠ ଏଯାବତ୍ ଅବହେଳିତ ହୋଇ ପଡିରହିବା ସମସ୍ତଙ୍କୁ ଆଚମ୍ବିତ କରିଛି।ସ୍ଥାନୀୟ ପ୍ରତିନିଧି ସରପଞ୍ଚ୍ ଠାରୁ ଆରମ୍ଭ କରି ବ୍ଲକ୍ ଅଧ୍ୟକ୍ଷା ଏପରିକି ବିଧାୟକ ଓ ସାଂସଦ ଭୀମ ମଣ୍ଡଳୀର ଗୁରୁତ୍ୱକୁ ଉପଲବ୍ଧି କରି ସରକାରଙ୍କ ଠାରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ସୁପାରିଶ କରି ଏହାକୁ କାର୍ଯ୍ୟକାରୀ କରାଇବା ଦିଗରେ ବର୍ତ୍ତମାନ ଦାବି ଯୋର ଧରିଛି। ରାଜ୍ୟ ସରକାର କଳା ସଂସ୍କୃତି ଓ ଐତିହ୍ଯର ପୁନଃ ବିନ୍ୟାସ ପାଇଁ ଆଗଭର ହୋଇଥିବାରୁ ଭୀମ ମଣ୍ଡଳୀକୁ ପ୍ରାଥମିକତା ଦେବା ନେଇ ଐତିହାସିକବିତ୍ ମାନେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।ଏଇ ନିକଟରେ ଭୀମ ମଣ୍ଡଳୀ କମିଟିର ସଭାପତି ରମେଶ ପ୍ରସାଦ ସ୍ୱାଇଁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତିଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ଡିଏଫଓ ରାଜ୍ୟ ସରକାରଙ୍କ ଠାରେ ଏହି ଦାବି ଉପସ୍ଥାପନା କରି ଭୀମ ମଣ୍ଡଳୀକୁ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟତା ପାଇଁ ସମସ୍ତ ପ୍ରକାର କାରଣ ଦର୍ଶାଇ ସୁପାରିଶ କରିବାକୁ ବୁଦ୍ଧିଜୀବୀ ମହଳରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ଐତିହାସିକବିତ୍ ଦୀପକ କୁମାର ପଣ୍ଡା ଭୀମ ମଣ୍ଡଳୀର ସୁରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରର ଆବଶ୍ୟକତା ନେଇ ବହୁବାର ସ୍ୱର ଉଠାଇଛନ୍ତି।ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ମଧ୍ୟ ଏଭଳି ବାରମ୍ବାର ଦାବି କରି ଆସୁଥିବା ଖବର ଅତି ପୁରୁଣା ହୋଇଗଲାଣି।ଏଣୁ ସରକାର ଏଭଳି ବିଭିନ୍ନ ପୀଠ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଚିହ୍ନଟ କରି ନିଜ ପଟୁ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ଉଚିତ ବୋଲି ମନେ ହେଉଛି।
ଏହା ଦ୍ବାରା ଭୀମ ମଣ୍ଡଳୀ ପର୍ଯ୍ୟଟନର ବିକାଶ ହେବା ସହିତ ଅଞ୍ଚଳର ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବାରେ ସହାୟକ ହୋଇ ପାରିବ।ଏହି ଭୀମ ମଣ୍ଡଳୀ ପଞ୍ଚୁପାଣ୍ଡବଙ୍କୁ ନେଇ ବହୁ ପୌରାଣିକ କାହାଣୀ ବି ରହିଛି। ତେଣୁ ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ସହିତ ଏହାର ଗବେଷଣା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେବାକୁ ସମାଜବିତ୍ ମାନେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
କେବେ ମିଳିବ ଭୀମମଣ୍ଡଳୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା !
