ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ। ସେପଟେ ଦିନସାରା ଝିପଝିପି ବର୍ଷା ସତ୍ତ୍ବେ ମହାପ୍ରଭୁଙ୍କ ଦିବ୍ୟ ଲୀଳା କୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ିରେ ରହିଥିବା ବେଳେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ଓ ପୋଲିସ୍ ପକ୍ଷରୁ ସୁ ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟ ରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଗତ କାଲି ‘ଭକ୍ତି ଆରାଧନା ଭଜନ ସନ୍ଧ୍ୟା’ ଓ ଆଜି ‘ସୁର ଧାରା ଭଜନ’ କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭଜନ କାର୍ଯ୍ୟକ୍ରମର ମଜା ନେଇଥିଲେ। ସେହିପରି ଆସନ୍ତା କାଲି ଶନିବାର ଦିନ ‘ ମା ଅମ୍ବିକା ସାଂସ୍କୃତିକ କଳା ପରିଷଦ’ ରବିବାର ଦିନ ‘ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା’ ଓ ସୋମବାର ବାହୁଡ଼ା ଯାତ୍ରା ଦିନ ‘ହରିଓଁ ମେଲୋଡି’ ଆଶିଷ କୁମ୍ଭାର ଓ ସାଥୀ ଙ୍କ ଦ୍ବାରା ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିରୀକୃତ ହୋଇଛି। ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ କାଳୀୟ ଦଳନ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡାଠାରେ କୃଷ୍ଣ ଓ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରୁଛନ୍ତି।