ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ସୁବର୍ଣ୍ଣପୁର ରାମେଶ୍ଵର ମନ୍ଦିର ନିକଟସ୍ଥ ଷ୍ଟାଡିୟମ୍ ଠାରେ ନିମନ୍ତ୍ରିତ ଅତିଥି ଏବଂ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯିବ l ଉକ୍ତଦିନ ପ୍ରାତଃ ସମୟରେ ସହରରେ ରାମଧୁନ ପ୍ରଚାର କରାଯିବା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପ୍ରଭାତ ଫେରୀ ସକାଳ ଘ୦୬. ୦୦ ଣ୍ଟା ମଧ୍ୟରେ କରାଯିବ l ୦୭ ଟା ସମୟରେ ସହର ର ବିଭିନ୍ନ ଛକରେ ଓ କାର୍ଯ୍ୟାଳୟ ରେ ଅବସ୍ଥାପିତ ମହାପୁରୁଷ ତଥା ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ବରିଷ୍ଠ ଅଧିକାରୀ ତଥା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପୁଷ୍ପମାଲ୍ୟାର୍ପଣ କରାଯିବ l ସକାଳ ଘଂ ୦୭. ୩୦ ମି ରୁ ଘଂ ୦୮ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ , ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ l ସ୍ୱାଧୀନତା ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ଘଂ ୦୯. ୧୫ ମିନିଟ ସମୟରେ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତବର୍ଷ ପ୍ୟାରେଡ଼ରେ ପୋଲିସ ବ୍ୟାଣ୍ଡ , ସଶସ୍ତ୍ର ବାହିନୀ ଓ ଗୃହରକ୍ଷୀ ଦଳ ସହ ଛାତ୍ରଛାତ୍ରୀଙ୍କ ୪୦ ଟି ଦଳ ଅଂଶ ଗ୍ରହଣ କରିବେ l ପ୍ୟାରେଡ଼ ପଡିଆରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ସୀମିତ ଦଳ ସୁନ୍ଦର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯିବ l ସେହିପରି ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂସ୍ଥା ଯେଉଁମାନେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି, ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ କରାଯିବ l ସେମାନଂକୁ ସମ୍ପୃକ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମନୋନୀତ କରିବେ I ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ରାଜ୍ୟ ଏବଂ ଜାତୀୟ ସ୍ତରରେ କୃତି ପାଇଁ ଛାତ୍ରଛାତ୍ରୀ ଏବଂ କ୍ରୀଡାବିତ୍ ମାନଙ୍କୁ ମଧ୍ଯ ପୁରସ୍କାର ଦିଆଯିବ l ସନ୍ଧ୍ୟା ୦୭ ଘଣ୍ଟା ସମୟରେ ନୂତନ ଟାଉନ ହଲ ଠାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଜିଲ୍ଲା ସ୍ତରୀୟ ଉତ୍ସବ ପରି ଜିଲ୍ଲାର ଉପଖଣ୍ଡ ସ୍ତରରେ , ବ୍ଲକ ସ୍ତରରେ ତଥା ପଞ୍ଚାୟତ ସ୍ତରରେ ମଧ୍ୟ ସମାରୋହ ଅନୁଷ୍ଠିତ ହେବ l ଉତ୍ସବ ପରିପ୍ରେକ୍ଷୀ ରେ ଜିଲ୍ଳା ଶିକ୍ଷା ଅଧିକାରୀ ତଥା ଅଧ୍ୟକ୍ଷ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟ , ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଦେଶାତ୍ମବୋଧକ ସଙ୍ଗୀତ ଆବୃତ୍ତି,ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୁର୍ଗାଦତ୍ତ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ପି ଡି ଡୁଡା ଶ୍ରୀ ବିଶ୍ୱନାଥ ବାରିକ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଇ ଓ ମ୍ୟୁନିସିପାଲିଟି ମନୋରଞ୍ଜନ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ପୋଲିସ ଆର ଆଇ ସରୋଜ କୁମାର ବେହେରା,ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ , ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ , ଅଧ୍ୟକ୍ଷ /ଅଧ୍ୟକ୍ଷା , ବିଭିନ୍ନ ସାଂସ୍କୃତିକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସ୍ୱାଗତ ସମ୍ଭାଷଣ କରିବା ସହ ବିବରଣୀ ପାଠ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଙ୍କୁ ଆନ୍ତରିକତା ସହିତ ଏହି ଜାତୀୟ ଦିବସ ପାଳନ ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l ଶେଷରେ ବିଭାଗୀୟ ଗ୍ରନ୍ଥାଗାରୀକ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ ବିଭାଗୀୟ କର୍ମକର୍ତ୍ତା ମାନଭଞ୍ଜନ ପଟ୍ଟନାୟକ, ବିନୋଦ କିଶୋର ଦାନୀ , ଚମରା ବିଶି ପ୍ରମୁଖ ସହଯୋଗ କରିଥିଲେ l