ମେଟାକାନୀ ଛକ ରେ ଗାଡି ମାଡି 3 ଜଣଙ୍କ ମୃତ୍ୟୁ ଘଟଣା କୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୁଲିସ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ଛକରେ ୪ ଜଣ ଯୁବକଙ୍କ ଉପରେ ପିକଅପ ଭ୍ୟାନ ମାଡିଯିବା ଘଟଣାର ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଏହା ଦୁର୍ଘଟଣା ନୁହଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ବି ଅଛପା ରହିଛି । ମାତ୍ର ବେଆଇନ କପ ସିରଫ ବ୍ୟବସାୟରେ ଟଙ୍କା ନେଣଦେଣକୁ ନେଇ ଉଭୟ ପକ୍ଷ ଭିତରେ ଗଣ୍ଡଗୋଳ ଘଟି ହତ୍ୟାକାଣ୍ଡ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଫୋନ ଯୋଗେ ଧମକ ଦେବା ପରେ ଗାଡି ମଡାଇ ହତ୍ୟା କରିଥିବା ଅନୁମାନ କରାଯାଉଛି । ପିକଅପ ଚାଳକଙ୍କ ବିରୋଧରେ ବିଭିନ୍ନ ଥାନାରେ ପୂର୍ବରୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ଚୋରି , ଡକାୟତି ସମେତ କପସିରଫ ବ୍ୟବସାୟ ଏବଂ ବିଭିନ୍ନ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଘଟଣାସ୍ଥଳରୁ ପିକଅପ ଭ୍ୟାନ ନେଇ ଅଭିଯୁକ୍ତ ଫେରାର ମାରିଥିବା ବେଳେ ପୁଲିସ ପିଛା କରିବାରୁ ଉଲୁଣ୍ଡା ଥାନା ବଡମାଲ ଛକ – ଚଡେଇପଙ୍କ ବାଇବାସ ରାସ୍ତାରେ ପିକଅପ ଭ୍ୟାନ ଛାଡି ଫେରାର ହୋଇଯାଇଛି । ଗୁରୁବାର ହତ୍ୟାକାଣ୍ଡରେ ବ୍ୟବହୃତ ପିକଅପ ଭ୍ୟାନ (ଓଡି-୧୭-ଏଏ-୪୦୧୫) ପୁଲିସ ଜବତ କରିଛି । ଗତ କିଛି ମାସ ପୂର୍ବରୁ ଉକ୍ତ ପିକଅପ ଭ୍ୟାନ ବ୍ୟବହାର କରି ବିଦ୍ୟୁତ ତାର ଚୋରି କରିଥିବା ବେଳେ ଧରାପଡିଥିଲା । ୨ ରୁ ୩ ଟି ଅପରାଧିକ ଘଟଣାରେ ପୁଲିସ ଜବତ କରିଥିବା ପିକଅପ ଭ୍ୟାନ ସାମିଲ ଥିବା ଜଣାପଡିଛି । ବିହାର ରାଜ୍ୟର ମୂଳ ବାସିନ୍ଦା ଥିବା ଜଣେ ଯୁବକ ବିନିକା ଥାନା ଅଂଚଳରେ ରହୁଥିବା ବେଳେ ସେ ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗାଡି ମଡାଇ ହତ୍ୟାକାଣ୍ଡ ଭିଆଇବା ପରେ ହତ୍ୟାକାରୀ ଜଣକ ମୃତକଙ୍କ ସମ୍ପର୍କିୟଙ୍କୁ ଫୋନ କରି ତୁମକୁ ମଧ୍ୟ ଗାଡି ମଡାଇ ହତ୍ୟା କରିବି ବୋଲି ଧମକ ଚମକ ଦେଇଥିବା ଫୋନ ରେକଡିଂ ଏବେ ଘୁରି ବୁଲୁଛି । ଏହି ଘଟଣାକୁ ପୁଲିସ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର ନାଏକ, ଏସଡିପିଓ ବାସୁଦେବ ଛତ୍ରିଆ ଉଲୁଣ୍ଡା ଥାନାରେ ଆଜି ଦିନ ତମାମ ଉପସ୍ଥିତ ରହି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ପ୍ରାୟ ୪ ଟାରେ ଉଲୁଣ୍ଡା ପଟୁ ସମ୍ବଲପୁର ଅଭିମୁଖେ ଦୃତ ଗତୀରେ ଯାଉଥିବା ଉକ୍ତ ପିକଅପ ଭ୍ୟାନ ମେଟାକାନୀ ଛକରେ ଏକ ଚା’ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ୫ ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ସମସ୍ତେ ଛିଟିକି ପଡିଥିବା ବେଳେ ୩ ଜଣ ଯୁବକଙ୍କ ମୃତ୍ୟୂ ଘଟିଥିବା ଏବଂ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତି ଯାଇଥିଲେ । ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ସମସ୍ତେ ଭାବୁଥିବା ବେଳେ ମୃତକଙ୍କ ପରିବାର ଲୋକ ପହଂଚିବା ପରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ତେବେ ଉଲୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ଉପରୁ ଖୁବଶିଘ୍ର ପରଦା ହଟିବ ବୋଲି ଆଇଆଇସି ପଂଚାନନ ନାଏକ ସୂଚନା ଦେଇଛନ୍ତି ।