Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ,କହିଲେ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି ଦାୟିତ୍ୱରେ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି

ସମ୍ବଲପୁର : ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର । ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି କରିବା ଦାୟିତ୍ୱକୁ ବ୍ୟବସ୍ଥା ପାଖରେ ପହଞ୍ଚାଇବା ପାଇଁ ମୁଁ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି ବୋଲି ସୋମବାର ଆଠମଲ୍ଲିକ ଓ ରେଢାଖୋଲ ନିର୍ବାଚନମଣ୍ଡଳୀରେ ଆୟୋଜିତ ପୃଥକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅନୁଗୋଳ କିଶୋରନଗର ଠାରେ ବରିଷ୍ଠ ନାଗରିକ ସଂଘ, ଆଠମଲ୍ଲିକ ଏବଂ ସମ୍ବଲପୁର ରେଢାଖୋଲ ଠାରେ ‘ବିକଶିତ ନାଗରିକ ମଞ୍ଚ, ରେଢାଖୋଲ’ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଗତ ନିର୍ବାଚନ ପ୍ରଚାର ବେଳର ସ୍ମୃତିଚାରଣ କରିବା ସହ ସମ୍ବଲପୁର ଲୋକସଭାରୁ ସାଂସଦ ଭାବରେ ନିର୍ବାଚିତ କରିଥିବାରୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଜବଲ ଇଞ୍ଜିନ ସରକାରରେ ଗରିବ, ମହିଳା, ଚାଷୀ, ଯୁବକ ଓ ଆଦିବାସୀଙ୍କ ବିକାଶ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ସୁଭଦ୍ରା ଯୋଜନାର କାର୍ଯ୍ୟକାରୀ, ମାଆ ଭଉଣୀ ମାନଙ୍କୁ ଲକ୍ଷପତି ଦିଦି କରି ମାତୃଶକ୍ତିଙ୍କୁ ସ୍ୱାବଲମ୍ବୀ କରିବା, ଚାଷୀମାନଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବା ପାଇଁ ଆମ ସରକାର କାମ କରୁଛନ୍ତି ।
ରେଢାଖୋଲ ସଭାରେ ସେ କହିଥିଲେ ବରିଷ୍ଠ ନାଗରିକ, ଓକିଲ ସଂଘ, କୃଷକ ସଂଗଠନ ଏବଂ ସମାଜସେବା ସଂଗଠନ ସମୂହଙ୍କ ମଧ୍ୟରେ ଆୟୋଜିତ ଏହି ସଭା ମୋ ପାଇଁ ଆଶୀର୍ବାଦ ସଭା । ପ୍ରଗତିଶୀଳ ଓ କୃଷିଭିତ୍ତିକ ଅଞ୍ଚଳ ଆଠମଲ୍ଲିକକୁ ଆଧୁନିକ ଦୁନିଆ ସହ ଯୋଡି ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ସେ ଆହ୍ୱାନ କରିଥିଲେ । ସେହିପରି ରେଢାଖୋଲ ହେଉଛି ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ବିଚାରକୁ ବ୍ୟାପକ କରିଥିବା ସନ୍ଥକବି ଭୀମ ଭୋଇଙ୍କ ଅଞ୍ଚଳ । ତାଙ୍କର ସଂସ୍କାର ଓ ବିଚାର କାରଣରୁ ରେଢାଖୋଲ ମାଟି ଅଧିକ ପବିତ୍ର ହୋଇଛି । ୧୯୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାକୁ ୧୦୦ ବର୍ଷର ଅମୃତକାଳ ମଧ୍ୟରେ ଐତିହାସିକ ମୁକସାକ୍ଷୀ ରେଢାଖୋଲ ସମେତ ସମ୍ବଲପୁରବାସୀଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ସମସ୍ତେ ତତ୍ପର ରହିବା ।
ଉଲ୍ଲେଖନୀୟ ଯେ, ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରେଢାଖୋଲ ଛକରେ ଶ୍ରୀ ପ୍ରଧାନ ତାଙ୍କ ବନ୍ଧୁ ହୃଷିକେଶ ବିଶ୍ୱାଳଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ସହ ସ୍ୱାଦିଷ୍ଟ ବରା ଖାଇବା ସହ ଚା’ ପିଇଥିଲେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।