Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ପ୍ରତିକ ପ୍ରେକ୍ଷାପଟ୍ଟରେ ଭାରତୀୟ ଜ୍ଞାନ ପ୍ରଣାଳୀର ପ୍ରାସଙ୍ଗିକତା :ମହିଳା ମହାବିଦ୍ୟାଳୟରେ ତ୍ରିଦିବସୀୟ ଜାତୀୟ ସମ୍ପାନ ଉଦଘାଟିତ

ସମ୍ବଲପୁର:ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ୩ ଅକ୍ଟୋବର ରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ତିନି ଦିନିଆ ଜାତୀୟ ସମ୍ପାନର ଉଦଘାଟନୀ ଉତ୍ସବ ପାଳିତ ହେବା ସହିତ ପ୍ରଥମ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ସାମ୍ପ୍ରତିକ ପ୍ରେକ୍ଷାପଟ୍ଟରେ ଭାରତୀୟ ଜ୍ଞାନ ପ୍ରଣାଳୀର ପ୍ରାସଙ୍ଗିକତା : ଆଧାରର ପୁନରାବିଷ୍କାର” ଶୀର୍ଷକ ଏହି ଜାତୀୟ ସମ୍ପାନର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ , ଭିତ୍ତିପ୍ରବନ୍ଧ ତଥା ମୁଖ୍ୟବକ୍ତା ଭାବେ ଜାତୀୟ ଶିକ୍ଷା ଗବେଷଣା ପରିଷଦ , ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି ଓ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ଦାଶ ଯୋଗଦାନ କରିଥିଲେ I ସଂପାନର ଆବାହକ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ସମ୍ପାନରେ ପୌରାହିତ୍ୟ କରିବା ସହିତ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ସେନାପତି ଜାତୀୟ ଶିକ୍ଷାନୀତି- ୨୦୨୦ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତର ଜ୍ଞାନତତ୍ତ୍ଵର ପୁନରୁତ୍ଥାନ ପାଇଁ ଆମକୁ ସଜାଗ ହେବା ପାଇଁ ଆହ୍ଵାନ ଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ରାମାୟଣ ଓ ମହାଭାରତ ଯୁଗରେ ଥିବା ବୈଜ୍ଞାନିକ ତତ୍ତ୍ଵାବଳୀ ସହିତ ଆଧୁନିକ ଜ୍ଞାନ କୌଶଳର ସୁସଂଯୋଜନା କଲେ ଆମେ ଆଗାମୀ ୨୫ ବର୍ଷରେ ବିଶ୍ଵଗୁରୁ ପଦବୀ ମଣ୍ଡନ କରିପାରିବା ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ପ୍ରଫେସର ଦାଶ ଭାରତୀୟ ଜ୍ଞାନ ତନ୍ତ୍ରର ପୁନରୁଥାନ ହୋଇପାରିଲେ ବିବେକାନନ୍ଦ, ଗଣିତଜ୍ଞ ରାମାନୁଜ, ବୈଜ୍ଞାନିକ ରମଣଙ୍କ ଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ଆଧୁନିକ ଯୁଗରେ ଜନ୍ମ ନେବେ ବୋଲି ମତ ଦେଇଥିଲେ । ସଂପାନର ସାଂଗଠନିକ ସମ୍ପାଦକ ଅଖିଳ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ- ଆବାହକ ଡ. ସଞ୍ଜୟ ପ୍ରସାଦ ପଟ୍ଟନାୟକ ସଂପାନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଆଇକ୍ୟୁଏସି ସଂଯୋଜକ ଡ. ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ପ୍ରାୟୋଜିତ ଏହି ତ୍ରିଦିବସୀୟ ସଂପାନ ମହାବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ଏବଂ ଆଇକ୍ୟୁଏସିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଂପାନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଗବେଷକ ,ଆଲୋଚକ ଓ ଅଧ୍ୟାପକମାନେ ଭାଗ ନେଇଛନ୍ତି । ଏହି ଅବସରରେ ସଂପାନ ସଂପର୍କିତ ପତ୍ରିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବୈଷୟିକ ସମ୍ପାନ ଗୁଡିକ ଏକାଦିକ୍ରମେ ତିନୋଟି ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା l ଉଦଘାଟନୀ ସମାରୋହକୁ ଛାତ୍ରୀମାନେ ଆଭାସୀ ମାଧ୍ୟମରେ ଉପଭୋଗ କରିଥିଲେ ଲ ସନ୍ଧ୍ୟାରେ ଛାତ୍ରୀମାନେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ