Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ଷ ଉଲ୍ଲାସ ର ସହ ଶେଷ ହେଲା ପ୍ରଭୁ ବୁଢାରଜାଙ୍କ ବାର୍ଷିକ ଦଶରା, ଲାଠିଯାତ୍ରାରେ ପ୍ରବଳ ଜନ ସମାଗମ,ରକ୍ତ ରଞ୍ଜିତ ହେଲା ଜେନାବୁଢ଼ା ପୀଠ।

କଳାହାଣ୍ଡି:୨୦/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଘାଟି ତଳେ କେଉଁ ଏକ ଆବାହମାନ କାଳ ରୁ ପୂଜିତ ହେଉଛନ୍ତି ଜନ ମାନସ ଓ ଆଦିବାସୀ ଙ୍କ ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା। ଶନିବାର ବିଳମ୍ବିତ ରାତିରେ ବୁଢାରଜା ଦେବଙ୍କ ବାର୍ଷିକ ଦଶରା ସମାପନ ହୋଇଯାଇଛି । ଶନିବାର ସକାଳ ୮ ଘଣ୍ଟା ପରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଇଥିଲା।ଏହି ଅବସରରେ ଆୟୋଜିତ ଦଶରା ପୁଜାରେ ବୁଢାରଜା ପୀଠରେ ଶୁକ୍ଲ ଭୋଗ ଓ ପାର୍ଶ୍ବ ଦେବାଦେବୀଙ୍କୁ ରକ୍ତ ଭୋଗରେ ସନ୍ତୁଷ୍ଟ କରିଥିଲେ ମାନସିକଧାରୀ ଶ୍ରଦ୍ଧାଲୁ । ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ, ଧୂପ ଓ ମୁଆଁ ଦେଇ ପୁଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଲାଗିହୁଏ। ଭକ୍ତ ମାନେ ମାନସିକ ପୁରଣ ପାଇଁ ଦେଇଥିବା ପଶୁ ପକ୍ଷୀକୁ ବୁଢାରଜାଙ୍କ ଠାରେ ଅର୍ପଣ କରି ଜେନାବୁଢା ଦେବତା ନିକଟରେ ବଳି ଦେଇଥିବା ଦେଖିବାକୁ ମିଳିଛି । ଆଜି ଦଶରା ପୁଜାର କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇଥିଲା। ସକାଳ ୮ ଘଣ୍ଟାରୁ ବୁଢ଼ାରଜାଙ୍କ ମନ୍ଦିରରେ ଭକ୍ତ ମାନେ ଦର୍ଶନ କରିବା ସହ ସକାଳ ୧୧ଟା ଗ୍ରାମ ପୂଜକଙ୍କ ଘରୁ ବିରାଟ ପଟୁଆରରେ ଲାଠିଯାତ୍ରା ଆରମ୍ଭ ସମୟରେ ବିଭିନ୍ନ ସାଂସ୍କୃତିକ ଦଳର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବୁଢାରଜା ମନ୍ଦିରକୁ ପହଞ୍ଚି ଥିଲା। ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ୨୦ରୁ ଉର୍ଦ୍ଧ ଦେବାଦେବୀଙ୍କ ଦେବୀ ଲାଠି, କାଳିଶି ଘୁମୁରା, ଘଣ୍ଟ ଦଳ ଓ ଲୋକ କଳାକାରଙ୍କ ନୃତ୍ୟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମି ଝୁମି ନାଚି ଯାଉଥିବା ଦେଖବାକୁ ମିଲିଥିଲା । ପୁଜକ ଘର ଠାରୁ ମନ୍ଦିର ଯାଏଁ ନାହିଁ ନଥିବା ଜନ ଗହଳି ଦେଖିବାକୁ ମିଳିଥିଲା । ଲାଠିଯାତ୍ରା ପରିକ୍ରମା ସମୟରେ ବାଟରେ ଭଣ୍ଡାର ଘରେନ ମନ୍ଦିର ନିକଟରେ ପରମ୍ପରା ଅନୁଯାୟୀ ବାଳିଗଜା ଅର୍ପଣ କରାଯାଇଥିଲା । ଲାଠିଯାତ୍ରାରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଯୁବ ଫେଶନ ଡିଜାଇନର ସୁଜିତ ମେହେର,ପୂର୍ବତନ ବିଧାୟକ ମୌଷଧି ବାଗ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ସାମିଲ ହୋଇଥିଲେ। ମୁଖ୍ୟ ମନ୍ଦିରକୁ ଦେବାଦେବୀଙ୍କ ଲାଠିଯାତ୍ରା ପହଞ୍ଚିବା ପରେ ଲାଠି ଯାତ୍ରାକୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା।
ଲାଠିଯାତ୍ରା ବୁଢାରଜା ପୀଠକୁ ପହଞ୍ଚିବା ପରେ ଉକ୍ତ ବାଲି ଗଜାକୁ ବୁଢାରଜାଙ୍କ ପୁଜା ସ୍ଥଳରେ ରଖାଯାଇ ପୁଜା କରାଯାଇଥିଲା । ପୁଜା କାର୍ଯ୍ୟ ଚାଲୁଥିବା ସମୟରେ ବୁଢାରଜା ଦେବଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଥିଲା। ବୁଢାରଜା ପୀଠରେ ଠୁଲ ହୋଇଥିବା ସମସ୍ତ ଦେବାଦେବୀ ଏହି ମଣ୍ଡେଇ ଯାତ୍ରାରେ ସାମିଲ ହୋଇ ବଜାର ପଡିଆ ପରିକ୍ରମା କରିଥିଲେ । ମଣ୍ଡେଇ ଯାତ୍ରା ସମାପନ ହେବା ପରେ ପୁଣି ଥରେ ବୁଢାରଜା ପୀଠକୁ ଦେବାଦେବୀ ମାନେ ଚାଲି ଯାଇଥିଲେ । ପରେ ମନ୍ଦିର ନିକଟରେ ଥିବା ଏକ ଗଛରେ ଜହ୍ନିକୁ ବାନ୍ଧି ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶହ ଶହ ଯୁବକ ଏହି ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗ ଦେଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନିକୁ ଲକ୍ଷ୍ୟ କରି ଲାଖବିନ୍ଧା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ପରେ ଶହ ଶହ ସଂଖ୍ୟକ ମାନସିକଧାରୀ ଭକ୍ତ ମାନେ ମନ୍ଦିର ପାର୍ଶ୍ଵରେ ଥିବା ଜେନାବୁଢା ପୀଠରେ ପଶୁ ପକ୍ଷୀବଳି ଦେଇଥିଲେ। ପଶୁପକ୍ଷୀ ଙ୍କ ରକ୍ତ ରେ ପୀଠ ରକ୍ତ ରଞ୍ଜିତ ହୋଇ ପଡ଼ିଥିଲା।ଭକ୍ତ ଓ ମାନସିକଧାରୀ ନିଜର ମନସ୍କାମନା ପୁରଣ ଓ ପରିବାର କୁ ସୁଖରେ ରଖିଥା କାମନା କରି ଗୁହାରି କରିଥିଲେ। ସଂଧ୍ୟାରେ ବୁଢାରଜା ସାଂସ୍କୃତିକ ମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ପଡୋଶୀ ଜିଲ୍ଲାରୁ ଅନେକ ସାଂସ୍କୃତିକ ଦଳ ଯୋଗ ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକୁ ବିମୋହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆମପାଣି ବୁଢାରଜା ଦଶରା ମହୋତ୍ସବରେ ବହୁଳ ଭାବେ ଜନ ଗହଳି ରହିଥିବାରୁ ଉପଖଣ୍ଡ ପୋଳିସ ଅଧିକାରୀ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସର ପଦାଧିକାରୀ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଆମପାଣିର ସବୁ ସ୍ଥାନରେ ପୋଲିସ ଓ ଫୋର୍ସ ମୁତୟନ କରିଥିଲେ । ସ୍ଥିତି ଅନୁଧ୍ୟାନ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ମଧ୍ୟ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ସହ ପରିଦର୍ଶନ କରିଥିଲେ।ଅନୁଷ୍ଠିତ ବାର୍ଷିକ ଦଶରା ପୁଜା ଓ ମହୋତ୍ସବ କାର୍ଯ୍ୟକ୍ରମକୁ ବୁଢାରଜା ପୁଜା କମିଟି ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ-ସଭାପତି ତିଲୋତ୍ତମା ନାଏକ, ସଂପାଦକ ନକୁଳ ବାଣୁଆ, ସହ ସଂପାଦକ ସନ୍ତୋଷ ମାଝୀ କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ମନୋରଞ୍ଜନ ବାଣୁଆ ପ୍ରମୂଖ କମିଟିର ଶତାଧିକ କର୍ମକର୍ତ୍ତା ସହଯୋଗ କରିଥିଲେ । ଏହି ଦଶରା ପୁଜା ଓ ମହୋତ୍ସବ ଦେଖିବାକୁ ଛତିଶଗଡ଼, ତଥା ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories