ପୁଅର ମୃତ୍ୟୁ ଖବର ଶୁଣି ବାପା ଚାଲିଗଲେ ଆରପାରିକୁ


   
ତରଭା: ତରଭା ଏନଏସି ୱାର୍ଡ ନମ୍ବର -୨ ମାଲିପଡାରେ ଏକ ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମାଲିପଡାର ଆଦିକନ୍ଦ ସା (୭୫) ଶନିବାର ସନ୍ଧ୍ୟାରେ ତାଙ୍କର ନିଜ ପଡାରେ ଚାଲିଥିବା ଏକ ବାହା ଘରକୁ ଯାଇଥିଲେ ସେଠାରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ତରଭା ଡାକ୍ତରଖାନାକୁ ନିଆଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବଲାଙ୍ଗୀର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ।ବଡପୁଅ ଆର୍ତ୍ତତ୍ରାଣ(୫୦) ଓ ମଝିଆ ପୁଅ ରଞ୍ଜନ ରାତ୍ର ୧୦ଟାରେ ଗୋଟିଏ ଅଟୋ ଭଡ଼ାକରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ନେଇଥିଲେ।ସେଠାରେ ଆଦିକନ୍ଦଙ୍କୁ ଷ୍ଟ୍ରେଚରରେ ୱାର୍ଡକୁ ନେବା ସମୟରେ ଆର୍ତ୍ତତ୍ରାଣ ଫୋନରେ କାହା ସହିତ କଥା ହେଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ସଙ୍ଗେ ସଙ୍ଗେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ପୁତ୍ରର ମୃତ୍ୟୁ ହୋଇଯାଇଥିବା ଜାଣିବାର କିଛି ସମୟ ପରେ ବାପା ଆଦିକନ୍ଦ ମଧ୍ୟ ଇହଲୀଳା ସମ୍ବରଣ କରିଥିଲେ।ଖବର ପାଇ ପରିବାର ଲୋକେ ବଲାଙ୍ଗୀର ଡାକ୍ତରଖାନାରେ ପହଞ୍ଚିଥିଲେ।ବାପ ପୁଅଙ୍କ ମରଶରୀର ତରଭାକୁ ଅଣାଯିବା ପରେ ହୃଦୟ ଫଟା କାନ୍ଦ ବୋବାଳିରେ ଫାଟି ପଡିଥିଲା ମାଲିପଡା।ପରେ ଏକ ଶୋକାକୁଳ ପରିବେଶରେ ସ୍ଥାନୀୟ ସ୍ମଶାନରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଆଦିକନ୍ଦଙ୍କୁ ମଝିଆ ପୁଅ ରଞ୍ଜନ ମୁଖାଗ୍ନି ଦେଇଥିବାବେଳେ ଆର୍ତ୍ତତ୍ରାଣଙ୍କୁ ମୁଖାଗ୍ନି ଦେଇଥିଲେ ତାଙ୍କର ପୁଅ ରିତେଶ ଓ ପୁତୁରା କାହ୍ନୁ ସା।ସୂଚନାଯୋଗ୍ୟଯେ ଗତ ୨୦୨୧ ଡିସେମ୍ବର ମାସରେ ଆଦିକନ୍ଦଙ୍କ ସାନ ପୁଅ ଶରତ ସା (୩୮)ଙ୍କ ମୃତ୍ୟୁ ହୋଇଯାଇଥିଲା।ବର୍ତ୍ତମାନ ପରିବାରରେ ଆର୍ତ୍ତତ୍ରାଣଙ୍କ ସ୍ତ୍ରୀ ଜପ ସା,ପୁଅ ହିତେଶ ଯିଏକି ମାନସିକ ଅନଗ୍ରସର ଅଟନ୍ତି,ସାନପୁଅ ଶରତଙ୍କ ବିଧବା ଓ ଦୁଇ ସନ୍ତାନ ।ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି