ସମ୍ବଲପୁର:ସେବା ନାମରେ ପରଦା ପଛର ଅସଲ ଗୁମର ଫିଟିଛି। ମାନସିକ ଅସହାୟଙ୍କୁ ସେବା ବଦଳରେ ଅମାନୁଷିକ ଓ ଅଶୋଭନୀୟ ନିର୍ଯାତନାର କଡା କାର୍ଯ୍ୟାନୁଷ୍ଠାନ ନେଇଛି ସମ୍ବଲପୁର ପୋଲିସ।
ସୂଚନା ମତେ ସମ୍ବଲପୁର ସହର ଧନୁପାଲି ନିକଟସ୍ଥ ପୁଟିବନ୍ଦ ସ୍ଥିତ ମାନସିକ ରୋଗୀ ଥଇଥାନ କେନ୍ଦ୍ର ସମର୍ଥ’ରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ମାମଲାରେ ଆଦର୍ଶ ଶିଶୁ ମନ୍ଦିରର ମୁଖ୍ୟ ପରିଚାଳକ ହରିଶ ଦାଶ, ତାଙ୍କର ପୁଅ,ମହିଳା ସହାୟିକା ସ୍ଵାଗତିକା ପ୍ରଧାନ ଓ ଆଉ ଜଣେ ପୁରୁଷ କର୍ମଚାରୀଙ୍କୁ ମିଶାଇ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଧନୁପାଲି ଥାନା ପୁଲିସ। ସେମାନଙ୍କ ବିରୋଧରେ ଧାରା ୩୦୭, ୩୫୪ ଏବଂ ୩୨୩ରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଧନୁପାଲି ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ । ଅପରାହ୍ନ ପ୍ରାୟ ୧.୩୦ରେ ସ୍ବାଗତିକାଙ୍କୁ ସମର୍ଥ ଗୃହରୁ ପୁଲିସ ଗିରଫ କରି ନେବା ସମୟରେ ସ୍ଥାନୀୟ ଅଧିବାସୀ ତାକିମାରି ଖୁସି ବ୍ୟକ୍ତ କରିଥିଲେ । ଏହା ସହିତ ଆଇଜି ହିମାଂଶୁ ଲାଲ ମଧ୍ୟ “ସମର୍ଥ’ କେନ୍ଦ୍ର ପରିଦର୍ଶନ କରି ଅନ୍ତେବାସୀ ଓ ସ୍ଥାନୀୟ ଅଧିବାସୀଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରି ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ । ଏହି ସଂସ୍ଥାର ସମସ୍ତ କାର୍ଯ୍ୟକଳାପର ଅଡିଟ କରିବା ସହିତ ସବୁ ଆପରାଧିକ ଗତିବିଧି ନେଇ ପୁଲିସ ଯାଞ୍ଚ କରିବ ବୋଲି ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳରେ ଆହୁରି କେତେକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ
ନିର୍ଦେଶ ଦିଆଯାଇଥିବା କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର । ଏହା ସହିତ ପରିଚାଳନା କରୁଥିବା ଆଦର୍ଶ ଶିଶୁ ମନ୍ଦିରକୁ କଳା ତାଲିକାଭୁକ୍ତ କରିବା ଏବଂ ଏହାର ପଞ୍ଜିକରଣକୁ ଦାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଇଛନ୍ତି | ଗଣମାଧ୍ୟମକୁ ଜିଲ୍ଲାପାଳ ଜଣାଇଛନ୍ତି, ଏହି ସଂସ୍ଥାରେ ବର୍ତମାନ ୩୦ ଜଣ ଅନ୍ତେବାସୀ ଅଛନ୍ତି ସେମାନଙ୍କ ଥଇଥାନ ପ୍ରଶାସନ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଥିବାରୁ ବର୍ତମାନ ସେହି ସ୍ଥାନରେ ହିଁ ଅନ୍ତେବାସୀ ମାନେ ରହିବେ । ସ୍ଥାନୀୟ ଏକ ସାମାଜିକ ସଙ୍ଗଠନ ଏହାର ପରିଚାଳନା କରୁଛନ୍ତି। ଏକ ସପ୍ତାହ ମଧ୍ୟରେ ସମସ୍ତ ଅନ୍ତେବାସୀଙ୍କୁ ବିକଳ୍ପ ସ୍ଥାନକୁ ପଠାଇ ଦିଆଯିବ।ଦ୍ବିତୀୟତଃ ଯୌନ ନିର୍ଯାତନା ଘଟଣା ନେଇ ମଧ୍ୟ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ବରେ ଗଠିତ ଟିମ୍ ଏହାର ଟିକିନିକି ତଦନ୍ତ କରିବ । ଆହୁର ମଧ୍ୟ ଅନ୍ତେବାସୀଙ୍କ ଉପଯୁକ୍ତ ଥଇଥାନ ପ୍ରକ୍ରିୟା ଦେଖିବା ପାଇଁ ଏହି ସଂସ୍କାର ଆର୍ଥିକ କାରବାର ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇଛି। ପୂର୍ବରୁ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟରେ କେତେକ ଅନିୟମିତତା ସମ୍ପର୍କିତ ସମସ୍ୟା ନେଇ ଏହାର ଅନୁଦାନକୁ ସାମାଜିକ ସୁରକ୍ଷା ବିଭାଗ କାଟି ଦେଇଥିଲା। ବର୍ତମାନ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ମିଳିଥିବା ଅନୁଦାନକୁ ଏହି ସଂସ୍ଥା କିଭଳି ଖର୍ଚ୍ଚ ଓ ବିନିଯୋଗ କରିଛି ଏହାକୁ ନେଇ ସ୍ବତତ୍ତ୍ୱ ଯାଞ୍ଚ ହେବ।ଆବଶ୍ୟକସ୍ଥଳେ ଅନୁଦାନ ଅର୍ଥ ପରିଚାଳକ ହରିଶ ଦାଶଙ୍କ ଠାରୁ ଭରଣା ମଧ୍ୟ କରାଯିବ ବୋଲି ପ୍ରଶାସନ କହିଛି। ସାମାଜିକ ସଙ୍ଗଠନ ‘ପରିଚୟ’ ପକ୍ଷରୁ ଏହି ଅନ୍ତେବାସୀଙ୍କ ପରିଚାଳନା କରାଯାଉଛି । ଏଥିପାଇଁ ‘ପରିଚୟ’ ସ୍ବତନ୍ତ୍ର ଭାନରେ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଏହି ସଙ୍ଗଠନର ବିପିନ ପଣ୍ଡା ସୂଚନା ଦେଇଛନ୍ତି। । ଖୋର୍ଦ୍ଦାର ଏକ ଟିମ ସମ୍ବଲପୁର ଆସୁଥିବା ସୂଚନା ଦେଇ ଅନ୍ତେବାସୀଙ୍କ ସୁରକ୍ଷା ନେଇ ବିକଳ୍ପ ବ୍ୟବସ୍ଥା ହୋଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ନିର୍ଯାତନା ଘଟଣା ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଶେଷକରି ଏହି ସଂସ୍ଥାରେ ଗୋଟିଏ ବର୍ଷରେ ୬ ଜଣଙ୍କ ରହସ୍ୟଜନକ ମୃତ୍ୟୁ, ଏହାର ଆର୍ଥିକ କାରବାର ଓ ମହିଳା ଅନ୍ତେବାସୀଙ୍କ ପ୍ରତି ମୁଖ୍ୟ ପରିଚାଳକଙ୍କ ବ୍ୟବହାରକୁ ନେଇ ପୃଥକ୍ ଭାବରେ ତଦନ୍ତ ତଦନ୍ତ କରାଯାଉଥିବା ଜଣାପଡିଛି।ତେବେ ଏହି ସ୍ଥାନରେ ହୋଇଥିବା ବିଭିନ୍ନ ଘଟଣାକୁ ନେଇ ଯେଭଳି ଦୃଶ୍ୟ ଥିବା ଭିଡିଓ ଓ ଫଟୋ ଭାଇରଲ ହୋଇଛି ତାହା ଅତ୍ୟନ୍ତ ହୃଦୟ ବିଦାରକ ଓ ଅମାନବିକତାର ବଡ଼ ପ୍ରମାଣ ବୋଲି ଯେ କେହିନା କହିବ।