କଂଗ୍ରେସ ବିରୁଦ୍ଧରେ ବିଜେପିର ରଣ ହୁଙ୍କାର: ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ


ବାଲିଗୁଡ଼ା, ତା, ୦୪/୦୨ :(ସଞ୍ଜୟ କୁମାର ପାଣିଗ୍ରାହୀ): ବଜେଟ୍ ଅଧିବେଶନ ସମୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କ ଅପମାନ ଜନକ ମନ୍ତବ୍ୟକୁ ଘୋର ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ କରୁଛି ବିଜେପି । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ଗାନ୍ଧୀ ଛକଠାରେ ବିଜେପି ପକ୍ଷରୁ ପ୍ରତିବାଦ ସଭା କରିବା ସହ ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟାରେ ଓଡ଼ିଶା ମାଟିର ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ହୋଇଛନ୍ତି, ଏଥିପାଇଁ ଓଡ଼ିଶାବାସୀ ଗର୍ବିତ । କିନ୍ତୁ ସଂସଦରେ ୨୦୨୫-୨୬ ପାଇଁ ବଜେଟ୍ ଅଧିବେଶନ ସମୟରେ କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଯେଉଁଭଳି ଅପମାନ ଜନକ ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେପି ଘୋର ନିନ୍ଦା କରୁଛି । ଏହାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ସୋନିଆ ଓ ରାହୁଲ ମହାମହିମ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ସହ ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ । ଏହି ପ୍ରତିବାଦ ସଭାରେ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ୍ ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ସମସ୍ତ ନେତୃବୃନ୍ଦଙ୍କ ସହ ଶତାଧିକ ସକ୍ରିୟ କର୍ମୀ ସାମିଲ୍ ହୋଇଥିଲେ ।